ARTICLE AD BOX
କାଠମାଣ୍ଡୁ: ନେପାଳ ଏବଂ ତିବ୍ବତ ସୀମାରେ ଚଳିତ ସପ୍ତାହରେ ଆସିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ପରେ ଲହେନ୍ଦ ନଦୀର ଉପର ଭାଗରେ ସୃଷ୍ଟି ହୋଇଥିବା ଏକ କୃତ୍ରିମ ହ୍ରଦ ଯେକୌଣସି ମୁହୂର୍ତ୍ତରେ ଫାଟିପାରେ ବୋଲି ଚୀନ୍ ପକ୍ଷରୁ ନେପାଳକୁ ପୁଣି ଥରେ ସ୍ପଷ୍ଟ ସତର୍କସୂଚନା ଦିଆଯାଇଛି। ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନେପାଳକୁ ପଠାଯାଇଥିବା ବାର୍ତ୍ତାରେ ଦର୍ଶାଯାଇଛି ଯେ, ହିମଶୈଳ ସ୍ଖଳନଜନିତ ପଥର ଓ କାଦୁଅର ପ୍ରାକୃତିକ ବନ୍ଧ ଯୋଗୁଁ ଏହି ହ୍ରଦ ସୃଷ୍ଟି ହୋଇଛି ଏବଂ ଏହାର ଜଳର ରଙ୍ଗ କ୍ରମାଗତ ଭାବେ ଗାଢ଼ କଳା ପଡ଼ିବାରେ ଲାଗିଛି, ଯାହା ବନ୍ଧ ଭାଙ୍ଗିବାର ଏକ ସ୍ପଷ୍ଟ ସଂକେତ ଅଟେ। ଚୀନ ପକ୍ଷରୁ କରାଯାଇଥିବା ଡ୍ରୋନ୍, ସାଟେଲାଇଟ୍ ଏବଂ ଫ୍ଲଡ୍ ମଡେଲିଂ ଆକଳନ ଅନୁଯାୟୀ, ହ୍ରଦରେ ଲଗାତାର ଜଳ ବୃଦ୍ଧି ଜାରି ରହିଛି।
ଆହୁରି ପଢନ୍ତୁ :Nepal floods: ନେପାଳ ବନ୍ୟା: ଚିତୱାନରୁ ୨୩୩ ଓ ନବଲପରାସି ପୂର୍ବରୁ ୧୫୮ ମୃତଦେହ ଉଦ୍ଧାର
ଶନିବାର ସକାଳର ସାଟେଲାଇଟ୍ ଚିତ୍ର ଅନୁଯାୟୀ,ହ୍ରଦର ଜଳରାଶି ଧୀରେ ଧୀରେ ପ୍ରବାହିତ ହେଉଥିବାରୁ ଏହାର ଆକାର ୯୯,୦୦୦ ବର୍ଗ ମିଟରକୁ ସଂକୁଚିତ ହୋଇଛି, ଯାହା ଗୁରୁବାର ତୁଳନାରେ ପ୍ରାୟ ୨୧,୦୦୦ ବର୍ଗ ମିଟର କମ୍ ଅଟେ। ଏହି ହ୍ରଦଟି ଚୀନ୍ ପାର୍ଶ୍ୱର ଚୋଚେନ୍ ନଦୀ ଏବଂ ନେପାଳ ପାର୍ଶ୍ୱର ପୁରେପୁ ନଦୀର ସଂଗମ ସ୍ଥଳ ନିକଟରେ ସୃଷ୍ଟି ହୋଇଛି।
ବର୍ତ୍ତମାନ ଏହି କୃତ୍ରିମ ହ୍ରଦରୁ ଜଳ ଧୀରେ ଧୀରେ ଲହେନ୍ଦ ଖୋଲା ଏବଂ ତ୍ରିଶୂଳୀ ନଦୀ ମଧ୍ୟକୁ ପ୍ରବାହିତ ହେଉଥିବାରୁ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି ଚୀନ୍ର ଜଳସମ୍ପଦ ମନ୍ତ୍ରାଳୟ ପ୍ରକାଶ କରିଛି। ତଥାପି, ତଳୁଆ ବସତିଗୁଡ଼ିକରେ ବ୍ୟାପକ ବିପଦ ଥିବାରୁ ସ୍ଥାନୀୟ ପୁଲିସ, ଡାକ୍ତରଖାନା ଏବଂ ପ୍ରଶାସନିକ ସଂସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

2 weeks ago
8


