ARTICLE AD BOX
ନୂଆଦିଲ୍ଲୀ: ଏ ଘଣ୍ଟା ଦେଖିଲେ ଆଜି ବି ଅନେକଙ୍କୁ ଲାଗେ ସାଧାରଣ ଡିଜିଟାଲ୍ ଘଣ୍ଟା! ଦାମ ବି ଏତେ ଅଧିକ ନୁହେଁ । କିନ୍ତୁ ଦିନେ ଏହି ଘଣ୍ଟାକୁ ନେଇ ଚିନ୍ତାରେ ପଡ଼ିଥିଲା ଆମେରିକା । କାରଣ ଏହି ଘଣ୍ଟା ପିନ୍ଧୁଥିଲେ ଆତଙ୍କୀ ସଂଗଠନ ଅଲ୍-କାଏଦାର ସଦସ୍ୟ । ଏମିତିକି ଅଲ୍-କାଏଦା ମୁଖ୍ୟ ଓସାମା ବିନ୍ ଲାଦେନଙ୍କ ହାତରେ ବି ଏହି ଘଣ୍ଟା ନଜର ଆସିଥିଲା । ତେବେ ଏହି ଛୋଟିଆ ଘଣ୍ଟାରେ ଏମିତି କ'ଣ ଥିଲା, ଯାହାକୁ ନେଇ ଆମେରିକା ହୋଇଯାଇଥିଲା ସତର୍କ? କାହିଁକି ଏହାକୁ କୁହାଗଲା ‘ଟେରରିଷ୍ଟ ୱାଚ୍’? ଆଉ ପୁଣି ଏହି ଘଣ୍ଟା ପରେ ହୋଇଯାଇଥିଲା ବାରାକ ଓବାମାଙ୍କ ଫେଭରାଟ୍ ଘଣ୍ଟା ।
ଏହା ହେଉଛି Casio F-91W । ଏକ ସାଧାରଣ ଡିଜିଟାଲ୍ ଘଣ୍ଟା । ୧୯୮୯ରେ ଜାପାନୀ କମ୍ପାନୀ କ୍ୟାସିଓ ଏହି ଘଣ୍ଟାକୁ ବଜାରକୁ ଆଣିଥିଲା । ଉଦ୍ଦେଶ୍ୟ ଥିଲା ଘଣ୍ଟା ସଠିକ୍ ସମୟ ଦେବ, ତାରିଖ ଦେଖାଇବ, ହାଲୁକା ହେବ ଏବଂ ସବୁଠାରୁ ବଡ଼ କଥା, ଦାମ ବି ସାଧାରଣ ଲୋକଙ୍କ ବଜେଟ୍ ଭିତରେ ରହିବ । ଡିଜାଇନର ରୟୁସୁକେ ମୋରିଆଇଙ୍କ ଡିଜାଇନ୍ରେ ତିଆରି ଏହି ଘଣ୍ଟାର ଓଜନ ମାତ୍ର ୨୧ ଗ୍ରାମ୍ । ତିନୋଟି ବଟନ୍ରେ ଲାଇଟ୍, ଆଲାର୍ମ ଓ ଷ୍ଟପ୍ୱାଚ୍ ଭଳି ଫିଚର୍ । ଏହି ସରଳତା ହିଁ ଏହାକୁ ଖୁବ୍ ଶୀଘ୍ର ଲୋକପ୍ରିୟ କରିଦେଲା । ଟିନ୍ଏଜର୍ଠାରୁ ଆରମ୍ଭ କରି କଲେଜ୍ ଛାତ୍ର, ପ୍ରଫେସନାଲ୍ ଓ ସେନା କର୍ମଚାରୀଙ୍କ ହାତରେ ନଜର ଆସିଲା F-91W । ଏମିତିକି ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହ ଏହି ମଡେଲ୍ର ନାଁ ବି ଯୋଡ଼ାଗଲା । କିନ୍ତୁ କାହାଣୀରେ ଆସିଲା ବଡ଼ ଟ୍ୱିଷ୍ଟ ।
ଆମେରିକା ଅଲ୍-କାଏଦାର କିଛି ଆତଙ୍କୀଙ୍କୁ ଧରି ଗୁଆଣ୍ଟାନାମୋ ବେ ଜେଲ୍ରେ ରଖିଥିଲା । ପଚରାଉଚରା ବେଳେ ଆତଙ୍କୀଙ୍କ ହାତରେ ଏହି ଘଣ୍ଟା ଥିବା ନେଇ ସୁରାକ୍ ମିଳିଥିଲା । ଆମେରିକୀୟ ଅଧିକାରୀମାନେ ଯେତେବେଳେ ଅନ୍ୟ ବନ୍ଦୀଙ୍କ ରେକର୍ଡ ଯାଞ୍ଚ କଲେ, ସେତେବେଳେ F-91W ନେଇ ଆହୁରି ଚର୍ଚ୍ଚା ଆରମ୍ଭ ହେଲା । କିଛି ରିପୋର୍ଟ ଅନୁସାରେ, ଅଲ୍-କାଏଦାରେ ଏହି ଘଣ୍ଟାକୁ ବିସ୍ଫୋରକ ତିଆରିରେ ଟାଇମିଂ ଡିଭାଇସ୍ ଭାବେ ବ୍ୟବହାର କରାଯାଇଥିଲା । ୧୯୯୪ରେ ଫିଲିପାଇନ୍ସ ଏୟାରଲାଇନ୍ସର ଫ୍ଲାଇଟ୍ ୪୩୪ ବିସ୍ଫୋରଣ ଘଟଣାର ତଦନ୍ତରେ ମଧ୍ୟ ଏହି ମଡେଲ୍ର ଘଣ୍ଟାର ବ୍ୟବହାର ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ପରେ ୧୯୯୯ରେ ଅଲ୍-କାଏଦା ସହ ଜଡ଼ିତ ଆତଙ୍କୀ ଅହମଦ ରେସମ୍କୁ ଧରିବା ପରେ ତାଙ୍କ ପାଖରୁ ବିସ୍ଫୋରକ ମିଳିଥିଲା । ସେଥିରେ F-91W ଭଳି ଡିଜିଟାଲ୍ ଘଣ୍ଟାର ଟାଇମିଂ ବ୍ୟବହାର ନେଇ ତଦନ୍ତ ହୋଇଥିଲା ।
Osama Bin Laden Family: ଲାଦେନ ମରିଲା ପରେ କୁଆଡ଼େ ଗଲେ ତାଙ୍କ ୨୪ ପିଲା?
ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅଲ୍-କାଏଦା ମୁଖ୍ୟ ଓସାମା ବିନ୍ ଲାଦେନଙ୍କ ହାତରେ ମଧ୍ୟ ଏହି ଘଣ୍ଟା ନଜର ଆସିଥିଲା । ତେବେ ଏଠି ଗୋଟିଏ କଥା ସ୍ପଷ୍ଟ ଘଣ୍ଟାଟି ନିଜେ କୌଣସି ଆତଙ୍କୀ ଉପକରଣ ନୁହେଁ । ଏହା ଆଜି ବି ସାଧାରଣ ଭାବେ ବିକ୍ରି ହେଉଥିବା ଏକ ଲୋକପ୍ରିୟ ଡିଜିଟାଲ୍ ୱାଚ୍ । ଆତଙ୍କବାଦୀମାନେ ଏହାକୁ ଅପବ୍ୟବହାର କରିଥିବା ଘଟଣା ହିଁ ଏହାକୁ ଏକ ଭିନ୍ନ ପରିଚୟ ଦେଇଛି । ଆଜି ୩୫ ବର୍ଷରୁ ଅଧିକ ସମୟ ପରେ ବି F-91Wର ମୂଳ ଡିଜାଇନ୍ ପ୍ରାୟ ସମାନ । ଭାରତରେ ମଧ୍ୟ ଏହା ପ୍ରାୟ ୧୧୦୦ରୁ ୧୨୦୦ ଟଙ୍କା ମଧ୍ୟରେ ମିଳିଥାଏ । ଏକ ସାଧାରଣ ଘଣ୍ଟାରୁ ‘ଟେରରିଷ୍ଟ ୱାଚ୍’ ଭାବେ ଚର୍ଚ୍ଚିତ ହେବା Casio F-91Wର କାହାଣୀ ନିଶ୍ଚିତ ଭାବେ ଅଜବ ।

5 days ago
6


