ARTICLE AD BOX
ଭୁବନେଶ୍ବର: ରାଷ୍ଟ୍ରାୟତ୍ତ କାନାରା ବ୍ୟାଙ୍କରେ ହୋଇଥିବା ୧୧୦୯ କୋଟି ଟଙ୍କାର ଏକ ଋଣ ଜାଲିଆତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର୍ ଲିମିଟେଡ୍ର ବିଭିନ୍ନ ଠିକଣାରେ ଚଢ଼ଉ କରାଯାଇଛି। ଭୁବନେଶ୍ବରର ସ୍ବତନ୍ତ୍ର ସିବିଆଇ କୋର୍ଟ ଜାରି କରିଥିବା ଏକ ୱାରେଣ୍ଟ ଆଧାରରେ କମ୍ପାନିର ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡ଼ୁ ଓ ଝାଡ଼ଖଣ୍ଡ ଠିକଣାରେ ଚଢ଼ଉ କରି ଖାନତଲାସୀ କରାଯାଇଥିଲା। କମ୍ପାନିର ଭୁବନେଶ୍ବରରେ ଥିବା ଚାରି ଜଣ ଅଭିଯୁକ୍ତ ନିର୍ଦ୍ଦେଶକଙ୍କ ବାସଭବନ, କୋଲକାତାରେ କମ୍ପାନିର ଥିବା ପଞ୍ଜୀକୃତ କାର୍ଯ୍ୟାଳୟ, ଉତ୍ତରାଖଣ୍ଡର କାଶିପୁର, ତାମିଲନାଡ଼ୁର ତିରୁଭାଲୁର ଓ ଓଡ଼ିଶାର ଭୁବନେଶ୍ବରରେ ଥିବା କାରଖାନାରେ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ଓ ତଦନ୍ତ ଜାରି ଥିବା ସିବିଆଇ କହିଛି।
Canara Bank: ପୁରୀରେ କାନାରା ବ୍ୟାଙ୍କର ଜାତୀୟସ୍ତରୀୟ ବୈଠକ
ସିବିଆଇ ଅଭିଯୋଗ କରିଛି ଯେ କମ୍ପାନି ନିଜର ଷ୍ଟକ୍ ମୂଲ୍ୟ ଓ ବ୍ୟବସାୟ ତଥ୍ୟକୁ ବଢ଼ାଇ ଚଢ଼ାଇ ଉପସ୍ଥାପନ କରିଥିଲା। ଆର୍ଥିକ ବିବରଣୀର ଭୁଲ ତଥ୍ୟ ଦେଇ କମ୍ପାନି ଋଣ ସୀମା ବଢ଼ାଇଥିଲା। ବ୍ୟାଙ୍କରୁ ଆଣିଥିବା ଋଣକୁ କମ୍ପାନି ହଡ଼ପ କରିବା ସହ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା। କମ୍ପାନିର ଏଭଳି ଜାଲିଆତି ପାଇଁ ବ୍ୟାଙ୍କକୁ ବିପୁଳ କ୍ଷତି ସହିବାକୁ ପଡ଼ିଥିଲା।
ଉଲ୍ଲେଖଯୋଗ୍ୟ, ୨୦୨୫ରେ ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର୍ ନେଇଥିବା ଋଣକୁ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାନସାଲ ବ୍ୟାଙ୍କ (ପିଏନ୍ବି) ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ଠକେଇ ବର୍ଗରେ ସାମିଲ କରିଥିଲେ। ପିଏନ୍ବିକୁ କମ୍ପାନି ୨୭୦ କୋଟି ଟଙ୍କା ଓ ବିଓଆଇକୁ ୨୨୬ କୋଟି ଟଙ୍କା ପରିଶୋଧ କରି ନଥିବା ଅଭିଯୋଗ ହୋଇଥିଲା। କମ୍ପାନି ବିଭିନ୍ନ ବ୍ୟାଙ୍କକୁ ନେଇ ଗଠିତ କନ୍ସୋର୍ଟିୟମଠାରୁ ୨୯୦୦ କୋଟି ଟଙ୍କାର ଋଣ ନେଇଥିଲା। ଋଣ ଖାତାକୁ ଠକେଇ ବର୍ଗରେ ସାମିଲ କରିଥିବା ବ୍ୟାଙ୍କଗୁଡ଼ିକ ସେ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବି ଅବଗତ କରିଥିଲେ। ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର୍ ବିରୋଧରେ ନ୍ୟାସନାଲ କମ୍ପାନି ଲ ଟ୍ରିବ୍ୟୁନାଲ (ଏନସିଏଲଟି)ରେ ମଧ୍ୟ ଆବେଦନ କରାଯାଇଥିଲା। କମ୍ପାନିର ବିଭିନ୍ନ ସମ୍ପତ୍ତି ନିଲାମ କରିବାକୁ କାନାରା ବ୍ୟାଙ୍କ ଗଣମାଧ୍ୟମରେ ସାର୍ବଜନୀନ ବିଜ୍ଞାପନ ଦେଇଥିଲା। କମ୍ପାନି କାନାରା ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଓ ଆଇଡିବିଆଇ ବ୍ୟାଙ୍କଠାରୁ କମ୍ପାନି ଏହି ଋଣ ନେଇଥିଲା। କାନାରା ବ୍ୟାଙ୍କରୁ ଋଣ ନେବା ବେଳେ ଏହାର ପରିଚାଳନା ନିର୍ଦେଶକ ମହେନ୍ଦ୍ର କୁମାର ଗୁପ୍ତା, ଅଭିଷେକ ଗୁପ୍ତା, ଜିତେନ୍ଦ୍ର ମୋହନ ଗୁପ୍ତା, କିରଣଦେବୀ ଗୁପ୍ତା ଓ ବିନୀତ ମୋହନ ଗୁପ୍ତା ଓ ମନମୋହନ ଗୁପ୍ତା ଗ୍ୟାରେଣ୍ଟର ଥିଲେ।

2 weeks ago
7


