BRICS Summit 2026: ବ୍ରିକ୍ସରେ ଭାରତର କୂଟନୈତିକ ସନ୍ତୁଳନ

5 days ago 6
ARTICLE AD BOX

ନୂଆଦିଲ୍ଲୀ: ୨୦୨୩ର ଜି-୨୦ ସମ୍ମିଳନୀରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସମସ୍ତ ସଦସ୍ୟ ଦେଶଙ୍କୁ ଏକାଠି କରି ସର୍ବସମ୍ମତ ଘୋଷଣାନାମା ପାରିତ କରିଥିବା ଭାରତ, ଏବେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଧିକ ଜଟିଳ କୂଟନୈତିକ ସନ୍ତୁଳନକୁ ସଫଳତାର ସହ ସାମ୍ନା କରିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍‌ଙ୍କ ସମେତ ୟୁଏଇ ଓ ସାଉଦି ଆରବର ପ୍ରତିନିଧିମାନେ ଯୋଗଦେଇଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ସଂଘର୍ଷରେ ଲିପ୍ତ ଥିବା ଦେଶଗୁଡ଼ିକୁ ଗୋଟିଏ ମଞ୍ଚକୁ ଆଣିବା ଭାରତୀୟ କୂଟନୀତି ପାଇଁ ଏକ ବଡ଼ ପରୀକ୍ଷା ହୋଇଛି।

ଏହି ସମ୍ମିଳନୀ ପଛରେ ରହିଛି ବିଶ୍ୱ ଅର୍ଥନୀତି ଓ ମଧ୍ୟପ୍ରାଚ୍ୟର ଗମ୍ଭୀର ସଙ୍କଟ। ଗୋଟିଏ ପଟେ ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଉପସାଗରୀୟ ଅଞ୍ଚଳରେ ଆକ୍ରମଣ ଓ ଇନ୍ଧନ ସଙ୍କଟ ଦେଖାଦେଇଥିବା ବେଳେ, ସାଉଦି ଆରବ ଓ ୟୁଏଇ ଉପରେ ଇରାନ-ସମର୍ଥିତ ଗୋଷ୍ଠୀଙ୍କ ସାମରିକ ଚାପ ବୃଦ୍ଧି ପାଇଛି। ନିକଟରେ ବିସ୍‌କେକ୍‌ ଏସ୍‌ସିଓ ଘୋଷଣାନାମାରେ ଇରାନ ଉପରେ ଆକ୍ରମଣକୁ ନିନ୍ଦା କରାଯାଇଥିବାରୁ, ବ୍ରିକ୍ସ ମଂଚରେ ସମାନ ଆଭିମୁଖ୍ୟ ରଖିବାକୁ ଇରାନ ଦାବି କରିଥିଲା। ତେବେ ଉଭୟ ଆରବ ଦେଶ ଏବଂ ଇରାନ ସହ ସୁସମ୍ପର୍କ ରଖିଥିବା ଭାରତ, ରୁଷ୍‌ ଓ ଇଜିପ୍ଟ ସହାୟତାରେ ଏକ ମଧ୍ୟମ ମାର୍ଗ ବାହାର କରିବାରେ ସଫଳ ହୋଇଛି।

ଆମେରିକୀୟ ଶୁଳ୍କ ଧମକ, ଆଞ୍ଚଳିକ ଶତ୍ରୁତା ଏବଂ ଦ୍ୱିପାକ୍ଷିକ ତିକ୍ତତା ମଧ୍ୟରେ ଭାରତର ଚତୁର ରଣନୀତି

ଏହାସହିତ ଆମେରିକା ପ୍ରସଙ୍ଗ ବା ‘ଟ୍ରମ୍ପ ଫ୍ୟାକ୍ଟର’ ଏହି ସମ୍ମିଳନୀର ଅନ୍ୟତମ ପ୍ରଧାନ ଚିନ୍ତାର କାରଣ ହେବାକୁ ଭାରତ ସୁଯୋଗ ଦେଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସକୁ ଆମେରିକା ବିରୋଧୀ ମଞ୍ଚ ଭାବେ ଦେଖୁଥିବା ବେଳେ, ପୃଥକ ମୁଦ୍ରା ପ୍ରଚଳନ କଲେ ୧୦୦% ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ, ଭାରତ ସ୍ପଷ୍ଟ କରିଛି ଯେ ବ୍ରିକ୍ସ କୌଣସି ନୂଆ ମୁଦ୍ରା ତିଆରି କରୁନାହିଁ, ବରଂ ନିଜସ୍ୱ ସ୍ଥାନୀୟ ମୁଦ୍ରାରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଉତ୍ସାହିତ କରୁଛି। ବ୍ରିକ୍ସକୁ ପଶ୍ଚିମ-ବିରୋଧୀ ହେବାକୁ ନଦେଇ ସାମ୍ରାଜ୍ୟବାଦ-ବିରୋଧୀ ଏବଂ ଗ୍ଲୋବାଲ ସାଉଥ୍‌ର ସ୍ୱର ଭାବେ ଉପସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ଏହି ରଣନୀତି ସଫଳ ହେବା ଏକ ବହୁତ ବଡ଼ କୂଟନୈତିକ ଉପଲବ୍ଧି।


ସମ୍ମିଳନୀ ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ସାଢ଼େ ସାତ ବର୍ଷ ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସୀମା ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଶାନ୍ତି ଏବଂ ବାଣିଜ୍ୟିକ ସମ୍ପର୍କ ସୁଧାରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ସେହିପରି ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଶକ୍ତି ଏବଂ ସାମରିକ ସହଯୋଗ ବୃଦ୍ଧି ଉପରେ ଚର୍ଚ୍ଚା ହୋଇଛି। ବୈଦେଶିକ ନୀତିରେ ନିଜର ସାର୍ବଭୌମତ୍ୱ ଓ ରଣନୈତିକ ସ୍ୱାଧୀନତା ବଜାୟ ରଖି, ସମସ୍ତ ବିରୋଧୀ ଗୋଷ୍ଠୀଙ୍କୁ ଏକାଠି କରିବା ସହ ବିଶ୍ୱ ମଞ୍ଚରେ ନିଜର ଦୃଢ଼ ଉପସ୍ଥିତି ଜାହିର କରିବା ଭାରତ ପାଇଁ ଏକ ଐତିହାସିକ କୂଟନୈତିକ କସରତ ସାବ୍ୟସ୍ତ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.