ARTICLE AD BOX
ନୂଆଦିଲ୍ଲୀ: ଦିନକ ପରେ ନୂଆଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। କଂଗ୍ରେସ ସାଂସଦ ପି ଚିଦାମ୍ବରମ ଏପରି କାର୍ଯ୍ୟକ୍ରମରୁ ଭାରତ ଆଖିଦୃଶିଆ ଲାଭ ପାଇନାହିଁ ବୋଲି କହିଥିବାବେଳେ ବିଜେପି ବିରୋଧୀ ଦଳର କୂଟନୀତି ଆଭିମୁଖ୍ୟ ଉପରେ ସମାଲୋଚନା କରିଛି। ୧୮ ତମ ବ୍ରିକ୍ସ ସମ୍ମିଳନୀ ରବିବାର ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଚାଲିବାକୁ ଥିବାବେଳେ ଭାରତ ଏହାର ଅଧ୍ୟକ୍ଷତା କରିବ।
ବୁଧବାର କଂଗ୍ରେସ ନେତା ଚିଦାମ୍ବରମ୍ କହିଛନ୍ତି ଯେ, ଭାରତ ବ୍ରିକ୍ସ, ସାଂଘାଇ ସହଯୋଗ ସଙ୍ଗଠନ, ଜି୨୦ ଓ କ୍ବାଡ୍ ସମେତ ଅନେକ ବହୁପାକ୍ଷିକ ଗୋଷ୍ଠୀର ଅଂଶ, କିନ୍ତୁ ଏହାଦ୍ବାରା ଦେଶ କୌଣସି ଠୋସ୍ ଲାଭ ପାଇନାହିଁ। ଚିଦାମ୍ବରମ୍ କହିଛନ୍ତି, ମୁଁ ଜାଣିନାହିଁ କେତେ ଜଣ ରାଷ୍ଟ୍ରପତି ଓ କେତେ ଜଣ ପ୍ରଧାନମନ୍ତ୍ରୀ ଆସୁଛନ୍ତି। କିନ୍ତୁ ଗତ ଦୁଇ କିମ୍ବା ତିନୋଟି ବ୍ରିକ୍ସ ସମ୍ମିଳନୀର କୌଣସି ସୁଫଳ ମିଳିଥିବା ଦେଖିନାହିଁ। ତେବେ ବିଜେପି ଏହାକୁ ନେଇ କଂଗ୍ରେସ ପାର୍ଟି ଓ ଚିଦାମ୍ବରମ୍ଙ୍କ ଉପରେ ପ୍ରଶ୍ନ ଉଠାଇଛି।
ବିଜେପି ନେତା ନଳୀନ କୋହଲି କହିଛନ୍ତି, କଂଗ୍ରେସ ଦଳର ଉଦ୍ଦେଶ୍ୟ କ’ଣ? କୂଟନୀତିକୁ କ’ଣ ଏକ କାରବାର ଭାବରେ ଦେଖାଯିବ। ତଥାକଥିତ ଆଖିଦୃଶିଆ ଫଳାଫଳ କ’ଣ? ମୁଁ କହିବାକୁ ଚାହୁଁଛି, ଯଦି ଆମେ ଦୃଶ୍ୟମାନ ଫଳାଫଳ ବିଷୟରେ କଥା ହେବା, ତେବେ ଆମେ ପ୍ରଶ୍ନ କରିପାରିବା ଯେ, ୧୯୪୭ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦଳର ସମ୍ପୂର୍ଣ୍ଣ ଆଭିମୁଖ୍ୟ କ’ଣ ଥିଲା?
BRICS Summit 2026: ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୬: ଭାରତ ଆସିପାରନ୍ତି ପୁଟିନ୍ ଓ ଜିନ୍ପିଙ୍ଗ୍...
ବିଜେପି ଜାତୀୟ ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ କହିଛନ୍ତି, କଂଗ୍ରେସ ‘ନାରାଜ ଫୁଫା’ ପରି ବ୍ରିକ୍ସ ସମ୍ମିଳନୀକୁ ବିରୋଧ କରୁଛି। ଯେତେବେଳେ ଦେଶର ଉନ୍ନତି ହେବ, ଭାରତର ଗର୍ବ ବୃଦ୍ଧି ହେବ, କଂଗ୍ରେସ ଦଳ ସର୍ବଦା ଏହାକୁ ବିରୋଧ କରିବ। କଂଗ୍ରେସର ବରିଷ୍ଠ ନେତାମାନେ ଅନୁଭବ କରିବା ଆରମ୍ଭ କରିଛନ୍ତି ଯେ ସେମାନେ ତାଙ୍କ ଜୀବନକାଳରେ କେବେବି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ହେବାର ଦେଖିପାରିବେ ନାହିଁ, କିମ୍ବା କଂଗ୍ରେସ କେବେବି ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇବ ନାହିଁ। ତେଣୁ ସେମାନେ ହୀନ ମନ୍ୟତାରେ ଏପରି କହୁଛନ୍ତି।

1 week ago
5


