ARTICLE AD BOX
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ଓ ଅଭିନେତା ହ୍ରିତିକ୍ ରୋଶନଙ୍କ ମଧ୍ୟରେ ବହୁ ବର୍ଷ ଧରି ଚାଲିଆସୁଥିବା ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆରେ ‘ୱି ନିଡ୍ ଟୁ ଆପୋଲୋଜାଇଜ୍ ଟୁ ହ୍ରିତିକ୍’ ଟ୍ରେଣ୍ଡ୍କୁ ନେଇ ହ୍ରିତିକ୍ଙ୍କ ପ୍ରତିକ୍ରିୟା ପରେ କଙ୍ଗନା ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି।
ହ୍ରିତିକ୍ କହିଥିଲେ ଯେ, ସୋସିଆଲ ମିଡିଆର ଟ୍ରେଣ୍ଡ୍ ଦେଖି କୌଣସି ପକ୍ଷ ନେବା ଉଚିତ ନୁହେଁ। ପୂରା ତଥ୍ୟ ଓ ସଠିକ୍ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ହିଁ ସେ ନିଜର ମତ ରଖିବେ। ତାଙ୍କ ମତରେ, କାହାକୁ ନାପସନ୍ଦ କରି ଅନ୍ୟ ଜଣଙ୍କ ସପକ୍ଷରେ ଯିବା ସମାଜର ଏକ ବଡ଼ ସମସ୍ୟାର ଅଂଶ। ଏହାର କିଛି ସମୟ ପରେ କଙ୍ଗନା ହ୍ରିତିକ୍ଙ୍କ ପ୍ରତିକ୍ରିୟା ସମ୍ପର୍କିତ ଏକ ଖବରକୁ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ସେୟାର କରି ତାଙ୍କୁ ଟାର୍ଗେଟ୍ କରିଥିଲେ।
ସେ ଲେଖିଥିଲେ, ହ୍ରିତିକ୍ ସାବା ଆଜାଦଙ୍କ ସହ ସୁଖୀ ସମ୍ପର୍କରେ ଥିବାରୁ ସେ ଖୁସି ଏବଂ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କିନ୍ତୁ ଏଭଳି ମନ୍ତବ୍ୟ ଦେଇ ଜଣେ ମହିଳାଙ୍କୁ ବାରମ୍ବାର ଟାର୍ଗେଟ୍ କରିବା ତାଙ୍କ ପାଇଁ ଶୋଭନୀୟ ନୁହେଁ। ବରଂ ତାଙ୍କ ନାମ ବ୍ୟବହାର କରି କଙ୍ଗନାଙ୍କୁ ଟ୍ରୋଲ୍ ଓ ହଇରାଣ କରୁଥିବା ଲୋକଙ୍କୁ ନିନ୍ଦା କରିବା ଉଚିତ। ସେ ହ୍ରିତିକ୍ଙ୍କୁ ‘ନିଆଁରେ ଘିଅ ନଢାଳିବା’ ଏବଂ ନିଜ ସାଥୀ ସାବା ଆଜାଦଙ୍କୁ ଅସୁବିଧାରେ ନ ପକାଇବାକୁ ପରାମର୍ଶ ଦେଇଥିଲେ।
ଏହି ନୂଆ ବାଗ୍ଯୁଦ୍ଧର ଆରମ୍ଭ କଙ୍ଗନାଙ୍କ ଛାତ୍ର ଆନ୍ଦୋଳନ ସମ୍ପର୍କିତ ମନ୍ତବ୍ୟ ପରେ ହୋଇଥିଲା। ଏହାକୁ ନେଇ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ମୁଖପାତ୍ର ସୌରଭ ଦାସଙ୍କ ସହ ତାଙ୍କର ସୋସିଆଲ ମିଡିଆରେ ବାଗ୍ଯୁଦ୍ଧ ହୋଇଥିଲା। ସୌରଭ ବ୍ୟଙ୍ଗ କରି କହିଥିଲେ, ତାଙ୍କ ସାଙ୍ଗମାନେ କହୁଛନ୍ତି ସେ ଯୁବ ହ୍ରିତିକ୍ଙ୍କ ଭଳି ଦେଖାଯାଉଥିବାରୁ ବୋଧହୁଏ କଙ୍ଗନା ତାଙ୍କୁ ଟାର୍ଗେଟ୍ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୬ରେ କଙ୍ଗନା ଏକ ସାକ୍ଷାତ୍କାରରେ ହ୍ରିତିକ୍ଙ୍କୁ ନିଜର ‘ସିଲି ଏକ୍ସ’ ବୋଲି କହିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ହ୍ରିତିକ୍ କୌଣସି ପ୍ରେମ ସମ୍ପର୍କ ଥିବା କଥାକୁ ଅସ୍ୱୀକାର କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଆଇନଗତ ନୋଟିସ୍, ପରସ୍ପର ବିରୋଧୀ ଦାବି ଓ ଇ-ମେଲ୍ ସମ୍ପର୍କିତ ଅଭିଯୋଗକୁ ନେଇ ଦୀର୍ଘ ବିବାଦ ଚାଲିଥିଲା। ବର୍ତ୍ତମାନର ଏହି ସୋସିଆଲ ମିଡିଆ ବାଗ୍ଯୁଦ୍ଧ ସେହି ପୁରୁଣା ବିବାଦକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।

1 day ago
1


