BJD Politics: ବିଜେଡି ରାଜନୀତି: ପୁଣି ଚର୍ଚ୍ଚାରେ ତ୍ରିମୂର୍ତ୍ତି

6 days ago 4
ARTICLE AD BOX

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିୟମିତ ଭାବେ କିଛି କିଛି ନେତାଙ୍କୁ ନବୀନ ନିବାସ ଡାକି ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରୁଛନ୍ତି। ଏହାର ଫଟୋ ଓ ଭିଡିଓ ଗଣମାଧ୍ୟମକୁ ଦିଆଯାଉଛି। କିନ୍ତୁ ଆଜିର ବୈଠକ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏକଦା ବିଜେଡିର ହର୍ତ୍ତାକର୍ତ୍ତା ପାଲଟିଥିବା ତିନି ନେତାଙ୍କୁ ସହ ନବୀନ ଆଲୋଚନା କରିଛନ୍ତି। ସେମାନେ ହେଲେ ଅରୁଣ ସାହୁ, ଅତନୁ ସବ୍ୟସାଚ୍ଚୀ ନାୟକ ଓ ସଞ୍ଜୟ ଦାସବର୍ମା। ଯଦିଓ ଏହି ବୈଠକରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ଗୌତମବୁଦ୍ଧ ଦାସ ଉପସ୍ଥିତ ଥିଲେ, ତେବେ ତ୍ରିମୂର୍ତ୍ତିଙ୍କ ଏକାଠି ଉପସ୍ଥିତି ଆଲୋଚନାର ବିଷୟ ହୋଇଛି। 

Belpahad BJD: ବେଲପାହାଡ଼ ବିଜେଡିକୁ ଶକ୍ତ ଧକ୍କା: ହିତେଶ ଓ ପୌର ଉପାଧ୍ୟକ୍ଷାଙ୍କ ସମେତ ୧୦ କାଉନ୍‌ସିଲରଙ୍କ ଇସ୍ତଫା

ପ୍ୟାରୀ ମୋହନ ମହାପାତ୍ର ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର ଥିଲା ବେଳେ ଅରୁଣ-ଅତନୁ-ସଞ୍ଜୟ ରାଜ୍ୟ ରାଜନୀତିର କେନ୍ଦ୍ରରେ ଥିଲେ। ପ୍ୟାରୀଙ୍କ ଆଖି, କାନ କହିଲେ ଏହି ତିନି ଜଣଙ୍କୁ ବୁଝାଉଥିଲା। ଦଳ ଓ ସରକାରର ସବୁ କାମରେ ଏମାନଙ୍କୁ ଖୋଜା ପଡ଼ୁଥିଲା। ଏମାନେ ଉଭୟ ନବୀନ-ପ୍ୟାରୀଙ୍କ ଘନିଷ୍ଠ ହୋଇଥିଲେ। ଦଳର ସଂଗଠନରେ ଯେତେବେଳେ ଯେଉଁଠି କିଛି ସମସ୍ୟା ସୃଷ୍ଟି ହେଉଥିଲା, ଏମାନେ ହିଁ ଯାଇ ତାହାକୁ ମ୍ୟାନେଜ୍ କରୁଥିଲେ। ନିର୍ବାଚନ ପରିଚାଳନାରେ ବି ଏମାନେ ଥିଲେ ଆଗରେ। ୨୦୧୨ ମେ’ ୨୯ରେ ମଧ୍ୟରାତ୍ରି ଷଡ୍‌ଯନ୍ତ୍ର ପରେ ପ୍ୟାରୀମୋହନ ବିଜେଡିରୁ ବିଦା ହୋଇଥିଲେ। ଏହା ପରେ ହଠାତ୍‌ ଅତନୁ ଅଲୋଡ଼ା ହୋଇଯାଇଥିଲେ। ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। କିନ୍ତୁ ଅରୁଣ ଓ ସଞ୍ଜୟ ପୁନର୍ବାର କ୍ଷମତାଶାଳୀ ହୋଇ ରହିଲେ। ଅରୁଣ ମନ୍ତ୍ରୀ ହୋଇଥିଲେ ଏବଂ ସଞ୍ଜୟ ଉପମୁଖ୍ୟ ସଚେତକ ହୋଇଥିଲେ। କିଛି ମାସ ପରେ ଅତନୁ ବି ନବୀନଙ୍କ ବିଶ୍ବସ୍ତ ତାଲିକାକୁ ଫେରିଥିଲେ। ୨୦୧୪ ନିର୍ବାଚନ ପରେ ତିନି ଜଣ ଯାକ ମନ୍ତ୍ରୀ ହୋଇଥିଲେ। ତେବେ ତିନି ଜଣଙ୍କ ସମ୍ପର୍କ ଆଉ ଆଗ ଭଳି ନଥିଲା। ତିନି ଜଣ ଯାକ ନିଜ ନିଜର ଗୋଷ୍ଠୀ କରି ରାଜନୀତି କରୁଥିଲେ। ଛକାପଞ୍ଝା ବି ଜୋର୍‌ ଚାଲୁଥିଲା। ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଏହି ତିନି ଜଣ ନିଜ ନିଜ ବାଟରେ ବିଜେଡି ଭିତରେ ଦବଦବା ରଖିଥିଲେ। ୨୦୧୯ ବେଳକୁ ଚିତ୍ର କିଛିଟା ବଦଳିଥିଲା। ଏହି ତିନି ଜଣଙ୍କ ପ୍ରଭାବ ଅନେକାଂଶରେ କମିଥିଲା। ବିଜେଡିର ତତ୍କାଳୀନ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନଙ୍କ ବିଶ୍ବସ୍ତ ହୋଇ ପ୍ରଣବ ପ୍ରକାଶ ଦାସ କ୍ଷମତାଶାଳୀ ହୋଇଥିଲେ। ପାଣ୍ଡିଆନ ଯାହା ନିଷ୍ପତ୍ତି ନେଉଥିଲେ ତାହାକୁ କାର୍ଯ୍ୟକାରୀ କରାଇବାରେ ପ୍ରଣବ ପ୍ରକାଶ ହିଁ ବଡ଼ ଭୂମିକା ନେଉଥିଲେ। ଘଟଣାକ୍ରମେ ଅନ୍ୟ ନେତାମାନେ ବି ତାଙ୍କ ସହ ଯୋଡ଼ି ହେଲେ। ତ୍ରିମୂର୍ତ୍ତି ଅଲୋଡ଼ା ନହେଲେ ବି ଦଳ ଭିତରେ ବିଶେଷ ଗୁରୁତ୍ବ ପାଇ ନଥିଲେ। ଦଳର ସଙ୍କଟ ମୋଚନ ପାଇଁ ଆଉ ଏହି ତିନି ଜଣ ଖୋଜା ପଡ଼ିଲେ ନାହିଁ। ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଦଳରେ ଏହି ସ୍ଥିତି ଜାରି ରହିଲା। 

Deep Sleep Hotel: କିମାଶ୍ଚର୍ଯ୍ୟମ୍‌: ଡିପ୍‌ ସ୍ଲିପ୍‌ ହୋଟେଲ୍‌

ଆଜି ଏକା ସଙ୍ଗେ ତିନି ଜଣଙ୍କୁ ବସାଇ ନବୀନ ବୈଠକ କରିବା ଘଟଣା ବିଜେଡି ଆଭ୍ୟନ୍ତରୀଣ ରାଜନୀତିରେ ବେଶ୍ ଗୁରୁତ୍ବ ବହନ କରୁଛି। କାରଣ ୨୦୨୪ ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡି ଏ ଯାଏ ପ୍ରଭାବୀ ଢଙ୍ଗରେ ସାଂଗଠନିକ କାର୍ଯ୍ୟ କରିପାରୁ ନାହିଁ। ଯଦିଓ ନବୀନଙ୍କ ନେତୃତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇ ନାହିଁ, ତଥାପି ଦଳର ପରିଚାଳନାକୁ ନେଇ ବରିଷ୍ଠ ନେତାମାନେ ବିଭିନ୍ନ ସମୟରେ ଅସନ୍ତୋଷ ଜାହିର କରୁଛନ୍ତି। ଯୁବ ବିଧାୟକମାନେ ନବୀନଙ୍କ ନିଷ୍ପତ୍ତିକୁ ରାଜ୍ୟସଭା ନିର୍ବାଚନରେ ଖୋଲା ଚ୍ୟାଲେଞ୍ଜ୍ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଅନେକ ବିଜେଡି ନେତା ବିଜେପି ମୁହାଁ ହେବା ସ୍ବାଭାବିକ। ତୃଣମୂଳ ସ୍ତରରେ ବହୁ ନେତା ଆଉ ବିଜେଡି ନିୟନ୍ତ୍ରଣରେ ନାହାନ୍ତି। ଏହା ମଧ୍ୟରେ ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ରାଉତ ବିଜେଡିରେ ସାମିଲ ହୋଇଛନ୍ତି। ଯଦିଓ ତାଙ୍କୁ ସାଧାରଣ କର୍ମୀ ବୋଲି କୁହାଯାଉଛି, ବାସ୍ତବରେ ସେ ହିଁ ଆଗକୁ ବିଜେଡିର ମଙ୍ଗ ଧରିବେ ଏଥିରେ ଆଉ ସନ୍ଦେହ ନାହିଁ। ଶଙ୍ଖ ଭବନରେ ସୁଜାତାଙ୍କ ଦରବାର ବି ଆରମ୍ଭ ହୋଇଗଲାଣି। ଏପରି ସ୍ଥିତିରେ ଏହି ତ୍ରିମୂର୍ତ୍ତିଙ୍କର ସାଂଗଠନିକ କାର୍ଯ୍ୟରେ ବଡ଼ ଭୂମିକା ରହିବ ବୋଲି ଦଳ ଭିତରେ ଆଲୋଚନା ଚାଲିଛି। ଏମିତିରେ ଗତ କିଛି ଦିନ ହେଲା ସଞ୍ଜୟ ବିଭିନ୍ନ ଜିଲ୍ଲା ବୁଲି ସାଂଗଠନିକ ଦାୟିତ୍ବ ତୁଲାଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଅତନୁ ଓ ଅରୁଣଙ୍କୁ ମଧ୍ୟ ସଂଗଠନ ସଜାଡ଼ିବା କାମରେ ବ୍ୟବହାର କରାଯାଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.