ARTICLE AD BOX
କର୍ଲାମୁଣ୍ଡା (ଭଜଶ୍ୟାମ ସାହୁ): କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ଅନିୟମିତତା ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ମର୍ମରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଆଜି (ସୋମବାର) ଏନେଇ ଗ୍ରାମବାସୀମାନେ ଏକ ପଦଯାତ୍ରାରେ ବ୍ଲକ୍ ସଦର ଶିବ ମନ୍ଦିର ଠାରୁ ବାହାରି ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ତହସିଲଦାର ଅରୁଣ କୁମାର ବର୍ଗେଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅଭିଯୋଗଟି ତହସିଲଦାରଙ୍କ ଜରିଆରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ଜିଲାପାଳ କଳାହାଣ୍ଡି, କଳାହାଣ୍ଡି ଜିଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। ତହସିଲଦାର ଅରୁଣ କୁମାର ବର୍ଗେଙ୍କୁ ପଚାରିବାରୁ ସେ କହିଛନ୍ତି, ସେ ଏହି ସ୍ମାରକପତ୍ରକୁ ମୂଖ୍ୟ ଶାସନ ସଚିବଙ୍କୁ ପଠାଇବେ।
ମୋ ଗାଁ ମୋ ବିକାଶ ଯୋଜନାରେ ହେରାଫେରି : କାଗଜପତ୍ର ଜାଲିଆତି କରି କନିଷ୍ଠ ଯନ୍ତ୍ରୀ, କିରାଣି ନିଲମ୍ବିତ
ଅଭିଯୋଗ ଅନୁସାରେ, କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ଜୋରାଡବରା ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ଗାଁର ଜନୈକ ବ୍ୟକ୍ତି ତାଙ୍କ ନିଜ ଚାଷ ଜମିରେ ରାସ୍ତା ନଥିବା ଏକ ସ୍ଥାନରେ ୩ଲକ୍ଷ ଟଙ୍କା ବ୍ୟୟରେ ଏକ କମ୍ୟୁନିଟି ହଲ୍ ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନରୁ ଆରମ୍ଭ କରିଛନ୍ତି। ଉକ୍ତ ନିର୍ମାଣ କାର୍ଯ୍ୟଟି ଗାଁ ଲୋକଙ୍କ କୌଣସି କାର୍ଯ୍ୟରେ ଆସିବ ନାହିଁ, କାରଣ ନିର୍ମାଣାଧିନ କାର୍ଯ୍ୟ ସ୍ଥଳକୁ ଯିବା ଆସିବା କରିବା ପାଇଁ ରାସ୍ତା ବ୍ୟବସ୍ଥା ନାହିଁ।
ଏହାବ୍ୟତୀତ ନିମ୍ନ ମାନର କାମ ହେଉଥିବା ନେଇ ଗ୍ରାମବାସୀମାନେ ଗତ ମଇ ୧୧ ରେ କର୍ଲାମୁଣ୍ଡା ବ୍ଲକ୍ରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଓ କର୍ଲାମୁଣ୍ଡା ବିଡ଼ିଓଙ୍କୁ ମଇ ୨୨ରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହା ସତ୍ତ୍ବେ କାମ ବନ୍ଦ କରିବା ପରିବର୍ତ୍ତେ କାର୍ଯ୍ୟଟି ଚାଲୁ ରହିଛି ବୋଲି ଗ୍ରାମବାସୀ ଜଳନ୍ଧର ଭୋଇ, ସତ୍ୟ ନାରାୟଣ ସାହୁ, ଟିକେ ଲାଲ ସାହୁ, ତୁଳସୀ ଲାଲ ଭୋଇ, ହରି ସାହୁ, ହାରାଚନ ବାଗ, ଭାଗିରଥି ବାଗ,ସୁଦର୍ଶନ ସାହୁ, ଶମ୍ଭୁ ସାହୁ, ଦୁର୍ଗା ମାଝି, ପଲସ୍ତି ସାହୁ, ଭୋଳା ସାହୁ ଅଭିଯୋଗ କରିଛନ୍ତି।

3 weeks ago
9


