Big conspiracy: ହକି ଜର୍ସି ରଙ୍ଗ ପଛରେ ବଡ଼ ଷଡ଼ଯନ୍ତ୍ର: ଚପିଗଲା ଅସୁନ୍ତାଙ୍କ ଅଭିଯୋଗ, ଧ୍ୟାନ ହଟାଇବାର ଏକ ଚାଲ ମାତ୍ର କି?

1 day ago 1
ARTICLE AD BOX

ଭୁବନେଶ୍ବର: ଭାରତୀୟ ହକି ଦଳର ଜର୍ସି ରଙ୍ଗ ନୀଳରୁ ନାରଙ୍ଗୀ କରାଯିବାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି। ଆଗାମୀ ବିଶ୍ୱକପ୍‌ରେ ଭାରତୀୟ ଦଳ ନାରଙ୍ଗୀ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବାକୁ ଥିବାବେଳେ ପୂର୍ବତନ ଖେଳାଳି ଓ ହକି ପ୍ରଶଂସକମାନେ ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଏହି ବିବାଦ କେବଳ ଜର୍ସିର ରଙ୍ଗକୁ ନେଇ ସୀମିତ ନୁହେଁ। ହକି ଇଣ୍ଡିଆ ଭିତରେ ଚାଲିଥିବା ପ୍ରଶାସନିକ ବିବାଦ, ଟଣାଓଟରା, ଅର୍ନ୍ତଦ୍ବନ୍ଦ୍ବ, କ୍ଷମତାକନ୍ଦଳ ଏବଂ  ଅନ୍ୟାନ୍ୟ ଗୁରୁତର ଅଭିଯୋଗରୁ ନଜର ହଟାଇବା ପାଇଁ ଏହା ଏକ ବହୁତ ବଡ଼ ଷଡ଼ଯନ୍ତ୍ର ଓ ଚାଲ୍‌ ବୋଲି ପୂର୍ବତନ ହକି ଖେଳାଳିମାନେ ଦାବି କରିଛନ୍ତି। ଜର୍ସି ବିବାଦକୁ ମହାସଚିବ ଭୋଳାନାଥ ସିଂହ ତଥା ଅନ୍ୟ କେତେକ ଅଧିକାରୀଙ୍କ ବିରୋଧରେ ଜଣେ ମହିଳା ପ୍ରଶିକ୍ଷକ ଓ ଖେଳାଳିମାନେ ଆଣିଥିବା ଧମକଚମକ ତଥା ଯୌନ ଶୋଷଣ ଅଭିଯୋଗରୁ ଧ୍ୟାନଭ୍ରଷ୍ଟ କରିବାର ଏକ ମାଧ୍ୟମ କରାଯାଇଛି ବୋଲି ସାଧାରଣ ପ୍ରଶ୍ନ ମୁଣ୍ଡ ଟେକିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏଭଳି ଏକ ବିତର୍କିତ ନିଷ୍ପତ୍ତି ନେବା ପୂର୍ବରୁ ହକି ଇଣ୍ଡିଆର ନିର୍ବାଚିତ ନେତୃତ୍ୱ କିମ୍ବା ଖେଳାଳିମାନଙ୍କ ସହ ଆଲୋଚନା କରାଯାଇଥିଲା କି? ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଗଣମାଧ୍ୟମକୁ ଦେଇଥିବା ବିବୃତିରେ ଏହାକୁ ଏକ ସାମୂହିକ ନିଷ୍ପତ୍ତି ବୋଲି କହିଥିଲେ। କିନ୍ତୁ ପରେ ସାମ୍ନାକୁ ଆସିଥିବା ତାଙ୍କ ଏକ ଇ-ମେଲ୍ ଏହି ଦାବି ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ମହାସଚିବ ଭୋଳାନାଥ ସିଂହ ଏବଂ ଅନ୍ୟାନ୍ୟ ବୋର୍ଡ ସଦସ୍ୟଙ୍କୁ ପଠାଇଥିବା ଇମେଲ୍‌ରେ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ପରିବର୍ତ୍ତନ ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନି କିମ୍ବା କାର୍ଯ୍ୟକାରିଣୀ ବୋର୍ଡ ବୈଠକରେ ଆଲୋଚନା ବିନା ନିଆଯାଇଛି। ତାଙ୍କ ଇମେଲର ଜବାବରେ ଏହି ନିଷ୍ପତ୍ତି ଖେଳାଳିଙ୍କ ସହ ଆଲୋଚନା ପରେ ନିଆଯାଇଛି ବୋଲି ହକି ଇଣ୍ଡିଆ କହିଥିବା ଜଣାପଡ଼ିଛି। ତେବେ ସତରେ କ’ଣ ଏଭଳି ନିଷ୍ପତ୍ତି ଖେଳାଳିଙ୍କ ପରାମର୍ଶ ଓ ଖୁସି ଅନୁସାରେ ନିଆଯାଇଛି? 

ଖେଳାଳିଙ୍କ ସହ ହୋଇଥିଲା କି ଆଲୋଚନା?
ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ଇମେଲର ଉତ୍ତରରେ ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଖେଳାଳି, ପ୍ରଶିକ୍ଷକ ଓ ସହକାରୀ ଅଧିକାରୀଙ୍କ ପରାମର୍ଶକ୍ରମେ ଜର୍ସିର ରଙ୍ଗ ବଦଳାଯାଇଛି। କିନ୍ତୁ ହକି ଇଣ୍ଡିଆର କିଛି ଅଧିକାରୀ ନିଜ ନାମ ଗୋପନ ରଖି ଏଭଳି ତଥ୍ୟକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସୂଚନା ଅନୁସାରେ, ଜୁଲାଇ ୨୯ ତାରିଖରେ ଦଳର ଅଧିନାୟକ ଓ ପ୍ରଶିକ୍ଷକଙ୍କୁ ନୂଆ ଜର୍ସି ଦେଖାଯାଇଥିଲା। ସେମାନେ ଏହାକୁ ସର୍ବସାଧାରଣରେ ବିରୋଧ କରି ନଥିଲେ। କିନ୍ତୁ ଭିତରେ ଭିତରେ ଅସନ୍ତୁଷ୍ଟ ଥିଲେ। ଏଭଳି ସ୍ଥିତିରେ ଖେଳାଳିଙ୍କ ସହମତିରେ ଜର୍ସିର ରଙ୍ଗ ବଦଳାଯାଇଥିବା କଥା କହିବା ଆଦୌ ଠିକ୍‌ ନୁହେଁ ବୋଲି ସେମାନେ ମତ ରଖିଛନ୍ତି। ଅଧିନାୟକ ଓ ପ୍ରଶିକ୍ଷକଙ୍କ ଛଡ଼ା ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଏହି ନିଷ୍ପତ୍ତି ବିଷୟରେ ପୂର୍ବରୁ ଜଣାଇ ଦିଆଯାଇଥିଲା ବୋଲି ହକି ଇଣ୍ଡିଆ ଯେଉଁ ସଫେଇ ଦେଉଛି, ସେଥିରେ ମଧ୍ୟ କୌଣସି ସତ୍ୟତା ନଥିବା ଜଣେ ପୂର୍ବତନ ଖେଳାଳି କହିଛନ୍ତି। ଭରତୀୟ ହକିକୁ ଗତ ଏକ ଦଶନ୍ଧିରୁ ଅଧିକ ସମୟ ହେବ ଅନୁସରଣ କରି ଆସୁଥିବା ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକଙ୍କ ମତରେ ଏହି ଘଟଣା ତାଙ୍କୁ ଆଦୌ ଆଶ୍ଚର୍ଯ୍ୟ କରିନାହିଁ। ଯଦି ହକି ଇଣ୍ଡିଆର ସଭାପତି ତଥା ଦେଶର ଜଣେ ପୂର୍ବତନ ମହାନ ଖେଳାଳିଙ୍କୁ ମଧ୍ୟ ଏଭଳି ନିଷ୍ପତ୍ତିରେ ସାମିଲ କରାଯାଉନାହିଁ, ତେବେ ସାଧାରଣ ଖେଳାଳିଙ୍କ ମତାମତର ମୂଲ୍ୟ କେତେ, ତାହା ସହଜରେ ବୁଝିହେଉଛି। ଏହି ଘଟଣା ଭାରତୀୟ କ୍ରୀଡ଼ା ପ୍ରଶାସନରେ ଖେଳାଳିଙ୍କ ଭୂମିକାକୁ ନେଇ ମଧ୍ୟ ନୂଆ ପ୍ରଶ୍ନ ଉଠାଇଛି।

hfshsfhf

ନୀଳ ଜର୍ସି ନୀଳ ଟର୍ଫରେ ଦେଖାଯାଉନାହିଁ କାରଣ ଅଯୌକ୍ତିକ
ଏକ ବୈଷୟିକ ଆବଶ୍ୟକତା ଦୃଷ୍ଟିରୁ ଜର୍ସିର ରଙ୍ଗ ବଦଳା ଯାଇଥିବା ହକି ଇଣ୍ଡିଆର ଅନ୍ୟ କେତେକ ଅଧିକାରୀ ଯୁକ୍ତି କରିଛନ୍ତି। ସେମାନଙ୍କ କହିବା କଥା ହେଲା ସାରାବିଶ୍ୱରେ ହକି ଟର୍ଫର ରଙ୍ଗ ନୀଳ ରଙ୍ଗକୁ ବଦଳିଛି। ଏଭଳି ସ୍ଥିତିରେ ନୀଳ ଜର୍ସି ଖେଳାଳିଙ୍କୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି କରୁଛି। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି ଏହି ସମସ୍ୟା ତ ୨୦୧୨ରୁ ରହିଛି। ତେବେ ଏତେ ବର୍ଷ ପରେ ହଠାତ୍ ଜର୍ସିର ରଙ୍ଗ ବଦଳାଇବାର ଆବଶ୍ୟକତା କାହିଁକି ପଡ଼ିଲା?  ଏହି କାରଣରୁ ମଧ୍ୟ ଭାରତୀୟ ହକି ଦଳର ଜର୍ସିର ରଙ୍ଗ ପରିବର୍ତ୍ତନ ନେଇ ପୂର୍ବତନ ଭାରତୀୟ ହକି ତାରକା ବୀରେନ ରସ୍କିନା ଏବଂ କିଂବଦନ୍ତି ଧନରାଜ ପିଲ୍ଲେଙ୍କ ସମେତ ଅନେକ ହକି ତାରକା ହକି ଇଣ୍ଡିଆର ଏହି ନିଷ୍ପତ୍ତିକୁ ନେଇ  ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜର୍ସି ବିବାଦ ପଛରେ ଆଉ କିଛି ଅଛି କି?
ହକି ଇଣ୍ଡିଆକୁ ନେଇ ସଂପ୍ରତି ଏକାଧିକ ଗୁରୁତର ବିବାଦ ମଧ୍ୟ ଚର୍ଚ୍ଚାରେ ରହିଛି। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ତଥା ଚୟନକର୍ତ୍ତା ଅସୁନ୍ତା ଲାତ୍ରା ମହାସଚିବ ଭୋଳାନାଥ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ପ୍ରଶିକ୍ଷକ ସୁଧୀର ଗୋଲ୍ଲାଙ୍କ ବିରୋଧରେ କେତେକ ଖେଳାଳି ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଭୋଳାନାଥ ତାଙ୍କୁ ଧମକ ଚମକ ଦେଇଥିବା ଏବଂ ଏକାଧିକବାର ଭୟଭୀତ କରିଥିବା ଅଭିଯୋଗ ଅସୁନ୍ତା କହିଛନ୍ତି।  ସେହିଭଳି ତାଙ୍କୁ ଚୟନ ପ୍ରକ୍ରିୟାରୁ ଦୂରେଇ ରଖାଯାଉଥିବାର ଅଭିଯୋଗ ମଧ୍ୟ ଲାକ୍ରା କରିଛନ୍ତି। ଗୋଲ୍ଲାଙ୍କ ବିରୋଧରେ କେବଳ ଯୌନ ଶୋଷଣ ନୁହେଁ ଏକାଧିକ ମହିଳା ଖେଳାଳିଙ୍କୁ ବାରମ୍ବାର ଭୟଭୀତ କରିଥିବାର ଅଭିଯୋଗ ବି ରହିଛି। ତେବେ ଭୋଳାନାଥ ଓ ଗୋଲ୍ଲା ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅସୁନ୍ତାଙ୍କ ଅଭିଯୋଗ ପରେ ତାଙ୍କ ବିରୋଧରେ ପାଲଟା କାର୍ଯାନୁଷ୍ଠାନ ନେଇ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି। ଅଗଷ୍ଟ ୫ ସୁଦ୍ଧା ଜବାବ ଦେବାକୁ କୁହାଯାଇଥିବା ଜଣାପଡ଼ିଛି। ବିବାଦ ବଢ଼ିବା ଦେଖି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ମାମଲାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛି। ଗୋଲ୍ଲା ମଧ୍ୟ ଏଥିଲାଗି ନିଜ ପଦ ହରାଇଛନ୍ତି।

Judge: ଲୋକଙ୍କୁ ‘ପିମ୍ପୁଡ଼ି’ କହୁଥିବା ବ୍ୟକ୍ତି ବିଚାରପତି ହେଉଛନ୍ତି: କଲେଜିୟମ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଜଷ୍ଟିସ୍‌ ଉଜ୍ଜ୍ୱଳ ଭୂୟାଁ

୨୦୨୩ରେ କ୍ରିକେଟ୍‌ରେ ମଧ୍ୟ ହୋଇଥିଲା ସମାନ ଘଟଣା
ଭାରତୀୟ ହକିର ଏହି ଘଟଣା ପ୍ରଥମ ନୁହେଁ। ୨୦୨୩ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍ ଦଳକୁ ମଧ୍ୟ ଏକ ସମ୍ପୂର୍ଣ୍ଣ ନାରଙ୍ଗୀ ଓ ଗେରୁଆ ରଙ୍ଗର ଜର୍ସି ପିନ୍ଧିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସେହି ସମୟରେ ଦଳର ଖେଳାଳି ଜର୍ସିଟିକୁ ପସନ୍ଦ କରି ନଥିଲେ ଏବଂ ପିନ୍ଧିବାକୁ ରାଜି ହୋଇ ନଥିଲେ। ସେତେବେଳେ ଦଳର ଖେଳାଳିମାନେ ଏକାଠି ହୋଇ ଏଭଳି ନିଷ୍ପତ୍ତି ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଯାହା ହକିରେ ଘଟିନି। ଖେଳାଳିମାନେ ସମ୍ଭବତଃ ହକି ଇଣ୍ଡିଆ ଚାପରେ ଚୁପ୍‌ ରହିଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ଓଡ଼ିଶା ସରକାରଙ୍କ ଭୂମିକାର ଗୁରୁତ୍ବ ବଢ଼ି ଯାଇଛି। ଓଡ଼ିଶା ସରକାର ଏଥିନେଇ ଅଣଅନୁଷ୍ଠାନିକ ଭାବେ ଅସନ୍ତୋଷ ଜାହିର କରିଥିଲା ବେଳେ ସେମାନଙ୍କ ଆଗାମୀ ପଦକ୍ଷେପ କ’ଣ ହେବାକୁ ଯାଉଛି, ତାହ ଦେଖିବାକୁ ବାକି ରହିଛି।

ଶ୍ରୀବାସ୍ତବଙ୍କ ୪ ପୃଷ୍ଠା ସମ୍ବଳିତ ସ୍ପଷ୍ଟୀକରଣ
ଭାରତୀୟ ହକି ଦଳର ଜର୍ସିର ରଙ୍ଗ ନୀଳରୁ ନାରଙ୍ଗୀ କରାଯିବାକୁ ନେଇ ବିବାଦ ମଧ୍ୟରେ ହକି ଇଣ୍ଡିଆ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହକି ଇଣ୍ଡିଆର ମହାନିର୍ଦେଶକ କମାଣ୍ଡର ଆର୍‌.କେ. ଶ୍ରୀବାସ୍ତବ ଏକ ଚାରି ପୃଷ୍ଠାର ଚିଠି ମାଧ୍ୟମରେ ଜର୍ସି ପରିବର୍ତ୍ତନ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏହି ନିଷ୍ପତ୍ତି ହକି ଇଣ୍ଡିଆର ପଦାଧିକାରୀମାନଙ୍କ ସମ୍ମତିରେ ନିଆଯାଇଥିବା ସେ କହିଛନ୍ତି। ଶ୍ରୀବାସ୍ତବ ଲେଖିଛନ୍ତି, ନୀଳ ରଙ୍ଗର ଜର୍ସି ଓ ନୀଳ ରଙ୍ଗର ହକି ପଡ଼ିଆ ମଧ୍ୟରେ ପର୍ଯ୍ୟାପ୍ତ ରଙ୍ଗର ପାର୍ଥକ୍ୟ ରହୁ ନଥିଲା। ଫଳରେ ଖେଳାଳିଙ୍କୁ ପଡ଼ିଆରେ ଚିହ୍ନଟ କରିବା ଓ ଦେଖିବାରେ କିଛିଟା ସମସ୍ୟା ହେଉଥିଲା। ଏହି କାରଣରୁ ଜର୍ସିର ରଙ୍ଗ ପରିବର୍ତ୍ତନ କରାଯାଇଛି।  ଜର୍ସି ପରିବର୍ତ୍ତନ ନିଷ୍ପତ୍ତି ହଠାତ୍ ନିଆଯାଇ ନଥିଲା। ଏଥିପାଇଁ ଜାତୀୟ ଦଳର ପ୍ରଶିକ୍ଷକ ମଣ୍ଡଳି, ଖେଳାଳିଙ୍କ ନେତୃତ୍ୱ ଗୋଷ୍ଠୀ, ଉଭୟ ପୁରୁଷ ଓ ମହିଳା ଦଳର ଅଧିନାୟକ ଏବଂ ବରିଷ୍ଠ ଖେଳାଳିଙ୍କ ସହ ବ୍ୟାପକ ଆଲୋଚନା କରାଯାଇଥିଲା। ଏହା ସହିତ ଜର୍ସିର ଦୃଶ୍ୟମାନତା ଓ ରଙ୍ଗର ପାର୍ଥକ୍ୟକୁ ନେଇ ବୈଷୟିକ ସମୀକ୍ଷା କରାଯାଇଥିଲା। ଅଫିସିଆଲ୍‌ କିଟ୍‌ ନିର୍ମାତାଙ୍କ ସହ ଡିଜାଇନ୍‌ ନେଇ ଆଲୋଚନା ହୋଇଥିଲା। ପରେ ଉଚ୍ଚ ପ୍ରଦର୍ଶନ ବ୍ୟବସ୍ଥା ଓ କିଟ୍‌ ପରିଚାଳନା ସହ ଜଡ଼ିତ ଅଧିକାରୀଙ୍କ ଠାରୁ ଆବଶ୍ୟକ ଅନୁମୋଦନ ନିଆଯାଇଥିଲା। ଶ୍ରୀବାସ୍ତବ ଆହୁରି କହିଛନ୍ତି ଯେ, ଅତୀତରେ ମଧ୍ୟ ଜର୍ସିର ରଙ୍ଗ କିମ୍ବା ଡିଜାଇନ୍‌ ବଦଳାଇବା ସମୟରେ ହକି ଇଣ୍ଡିଆର କାର୍ଯ୍ୟକାରୀ କମିଟି କିମ୍ବା କାର୍ଯ୍ୟକାରିଣୀ ବୋର୍ଡର ଅନୁମୋଦନ ନିଆଯାଇ ନଥିଲା। ପୂର୍ବରୁ ମଧ୍ୟ ଖେଳାଳି ଓ କୋଚ୍‌ମାନଙ୍କ ମତାମତ ଆଧାରରେ ଜର୍ସିର ରଙ୍ଗ ଓ ଡିଜାଇନ୍‌ରେ ପରିବର୍ତ୍ତନ କରାଯାଇଛି। ୨୦୨୨ ମସିହା ନଭେମ୍ବର-ଡିସେମ୍ବର ସମୟରେ ମଧ୍ୟ ଏଭଳି ଏକ ପରିବର୍ତ୍ତନ କରାଯାଇଥିଲା ବୋଲି ମଧ୍ୟ  ସେ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.