ARTICLE AD BOX
ଭବାନୀପାଟଣା: ରାୟଗଡ଼ା ଜିଲ୍ଲାର ଭାଟିଫାସ ଗାଁର ବିକଳ ଚିତ୍ର ଚର୍ଚ୍ଚାର ବିଷୟ ହୋଇଛି। ରାୟଗଡ଼ା ଜିଲ୍ଲାରେ ଗାଁ ଥିବା ବେଳେ ଜମି ଖତିଆନ କଳାହାଣ୍ଡି ଜିଲ୍ଲାରେ ରହିଛି। ଭାଟିଫାସ ଗ୍ରାମବାସୀ ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ କରି ହାଟ ପର୍ଯ୍ୟନ୍ତ କଳାହାଣ୍ଡି ଉପରେ ନିର୍ଭର କରି ଆସୁଛନ୍ତି। କଳାହାଣ୍ଡି ଜିଲ୍ଲାରୁ କାଶୀପୁର ବ୍ଲକ୍ ୧୯୬୨ରେ ଅଲଗା ହୋଇ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସାମିଲ ହୋଇଥିଲା। ଥୁଆମୂଳ ରାମପୁର ବ୍ଲକ୍ର ବହୁ ସୀମାନ୍ତ ଗାଁ କାଶୀପୁର ବ୍ଲକ୍କୁ ଲାଗି ରହିଛି। ବର୍ତ୍ତମାନର ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ମୁନୁଷଗାଁ ପଞ୍ଚାୟତର ଭାଟିଫାସ ଗାଁ ଥୁଆମୂଳ ରାମପୁର ବ୍ଲକ୍ ସୀମାନ୍ତରେ ରହିଛି। ଏହି ଗାଁର ପୂର୍ବରେ ଥୁଆମୂଳ ରାମପୁର ବ୍ଲକ୍ର କୁକୁଡ଼ାଗାଡ଼, ପଶ୍ଚିମରେ ଦାବ୍ରିଗୁଡ଼ା ଓ ଉତ୍ତରରେ ଡମ୍ବମୁଣ୍ଡା ଗାଁ ରହିଛି। ପେଟଫୁଲା ଓ ଇନ୍ଦ୍ରାବତୀ ନଦୀ ଏହି ଗାଁର ଦୁଇ ପାର୍ଶ୍ବରେ ରହିଛି। ଭାଟିଫାସ ଗାଁ ମଝି ରାସ୍ତା ୨ ଜିଲ୍ଲାର ସୀମାନ୍ତକୁ ଭାଗ କରୁଥିବା ବେଳେ ଏବେ ମଧ୍ୟ ବହୁ ଚାଷୀଙ୍କ ଜମି ଡମ୍ବମୁଣ୍ଡାରେ ରହିଛି। ଡୁମେରପଦର ପଞ୍ଚାୟତର ଡମ୍ବମୁଣ୍ଡା ଗାଁରେ ୪ଟି ପରିବାରର ଘର ମଧ୍ୟ ରହିଛି।
Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା
ଭାଟିଫାସ ଗାଁରୁ ମୁନୁଷଗାଁ ପଞ୍ଚାୟତ ୧୭ କିମି ଥିବାବେଳେ କାଶୀପୁର ବ୍ଲକ୍ର ଦୂରତା ୪୦ କିମି। ଗ୍ରାମବାସୀ ସାପ୍ତାହିକ ହାଟ ଓ ଦୋକାନ ସାମଗ୍ରୀ ପାଇଁ କଳାହାଣ୍ଡିର ଡୁମେରପଦର ଗାଁ ଉପରେ ନିର୍ଭର କରୁଛନ୍ତି। ସ୍ବାସ୍ଥ୍ୟ ପାଇଁ ଥୁଆମୂଳ ରାମପୁର ଉପରେ ନିର୍ଭର କରିଥାନ୍ତି। ଭାଟିଫାସ ଗାଁରେ ପ୍ରାୟ ୬୦ଟି ପରିବାର ଥିବା ବେଳେ ୩ ଶହରୁ ଅଧିକ ଜନସଂଖ୍ୟା। ଏଠାରେ ଏକ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ପାନୀୟଜଳର ଅସୁବିଧା ଯୋଗୁଁ ସେମାନେ ୪ ଶହ ମିଟର ଦୂର କଳାହାଣ୍ଡିର ଗୌନ୍ତିଆପଡ଼ା ଉପରେ ନିର୍ଭର କରୁଛନ୍ତି। ଥୁଆମୂଳ ରାମପୁର ବ୍ଲକ୍ ମହକୁମା ପ୍ରାୟ ୨୧ କିମି ଦୂରତା ଥିବାରୁ ଭାଟିଫାସ ଗ୍ରାମବାସୀ କାଶୀପୁର ପରିବର୍ତ୍ତେ ଥୁଆମୂଳ ରାମପୁର ଉପରେ ନିର୍ଭର କରିଥାନ୍ତି। ଥୁଆମୂଳ ରାମପୁର ମା’ମାଣିକେଶ୍ବରୀ ମନ୍ଦିରର ଜମି ତତ୍କାଳୀନ ମହାରାଜାଙ୍କ ଦ୍ବାରା ଭାଟିଫାସ ଗାଁର ସୀମାନ୍ତରେ ପ୍ରଦାନ କରାଯାଇଥିବା ସୂଚନା ରହିଛି। ଗ୍ରାମବାସୀ ଜୀବନ ଜୀବିକା ପାଇଁ ନଦୀ ଉପରେ ନିର୍ଭର କରନ୍ତି। କଳାହାଣ୍ଡି ଜିଲ୍ଲାର ଦାବ୍ରିଗୁଡ଼ା, ବଡ଼ଛତ୍ରଙ୍ଗ, ଡ଼ୁମେରପଦର ଗାଁ’କୁ ନିତିଦିନିଆ କାମ ପାଇଁ ଯାଆନ୍ତି। ଭୋଟ ବେଳେ ୧୭ କିମି ଦୂର ମୁନୁଷଗାଁକୁ ଯାଇଥାନ୍ତି। ୧୯୬୨ରୁ କାଶୀପୁର ବ୍ଲକ୍ କଳାହାଣ୍ଡି ଜିଲ୍ଲାରୁ ଅଲଗା ହୋଇଥିଲେ ମଧ୍ୟ ସୀମା ଓ ଭାବଗତ ସମ୍ପର୍କରେ ଏବେ ମଧ୍ୟ କଳାହାଣ୍ଡିର ଛାପ ଭରି ରହିଛି। ଏଭଳି ଭୌଗୋଳିକ ସାମଞ୍ଜସ୍ୟ ଓ ସମ୍ପର୍କ କଳାହାଣ୍ଡି ସହ ରହିଥିବାବେଳେ ସରକାରୀ ନଥିପତ୍ରରେ ରାୟଗଡ଼ା ଜିଲ୍ଲାର ବାସିନ୍ଦା ଅଟନ୍ତି। ଅନ୍ୟପକ୍ଷରେ ସେମାନଙ୍କ ଜମି କଳାହାଣ୍ଡି ଜିଲ୍ଲାରେ ରହିବା ଭ୍ରୂକୁଞ୍ଚନ ସୃଷ୍ଟି କରିଛି।

15 hours ago
1


