ARTICLE AD BOX
ବେଙ୍ଗାଲୁରୁ: ପାରିବାରିକ କଳହରୁ ବେଙ୍ଗାଲୁରୁରେ ଭୟଙ୍କର ହତ୍ୟାକାଣ୍ଡ ଘଟିଛି। ନିଜ ସ୍ତ୍ରୀ, ଶାଶୂ, ଦୁଇ ଶାଳକ, ସେମାନଙ୍କର ଦୁଇ ସ୍ତ୍ରୀ ଏବଂ ଜଣେ ୭ ବର୍ଷର ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବେଙ୍ଗାଲୁରୁର ଜଣେ କ୍ୟାବ୍ ଚାଳକକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତର ନାମ ଇନ୍ଦୁଶେଖର। ସେ ବେଙ୍ଗାଲୁରୁର ରାଜାଜୀନଗର ଅଞ୍ଚଳରେ ରହୁଥିଲା। ହତ୍ୟା ପରେ ମୃତଦେହଗୁଡ଼ିକୁ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ, ଏପରିକି ଅନ୍ୟ ରାଜ୍ୟରେ ମଧ୍ୟ ଫିଙ୍ଗିଥିବା ସନ୍ଦେହ କରାଯାଉଛି।
ପୁଲିସ ସୂଚନା ଅନୁସାରେ, ପ୍ରାୟ ୨୦ ବର୍ଷ ତଳେ ଇନ୍ଦୁଶେଖର ଓ ସୁନୀତାଙ୍କ ବିବାହ ହୋଇଥିଲା। ସୁନୀତା ନିଜ ବାପଘର ଲୋକଙ୍କ ସହ ସମ୍ପର୍କ ରଖିବା ଏବଂ ପାରିବାରିକ ବିବାଦରେ ସେମାନଙ୍କ ସମର୍ଥନ ପାଇବାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ଏହାକୁ ନେଇ ଅଭିଯୁକ୍ତ ଶ୍ୱଶୁରଘର ଲୋକଙ୍କ ଉପରେ ରାଗ ରଖିଥିବା ପୁଲିସ ସନ୍ଦେହ କରୁଛି। ପ୍ରାଥମିକ ତଦନ୍ତ ଅନୁସାରେ, ଅକ୍ଟୋବର ୧୬ରୁ ପ୍ରାୟ ୨୦ ଦିନ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ନିଜ ଘରକୁ ପରିବାରର ସଦସ୍ୟମାନଙ୍କୁ ଜଣକ ପରେ ଜଣକୁ ଡାକି ହତ୍ୟା କରିଥିବା କୁହାଯାଉଛି। ଏଥିପାଇଁ ସେ ଶିଳପୁଆ ବ୍ୟବହାର କରିଥିବା ପୁଲିସର ସନ୍ଦେହ। ଘରେ ରକ୍ତଦାଗ ଲିଭାଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରିଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ମୃତଦେହ ପରିବହନରେ ବ୍ୟବହୃତ କାର୍ ଓ ଶିଳପୁଆକୁ ପୁଲିସ ଜବତ କରିଛି।
ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ମୃତଦେହ, ୭ ବର୍ଷ ଶିଶୁର ଶବ ଉଦ୍ଧାର
ନଳିନୀଙ୍କ ମାଆ ନିଖୋଜ ଅଭିଯୋଗ ନେଇ ଶ୍ରୀରାମପୁରା ଥାନାରେ ପହଞ୍ଚିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଗୁରୁବାର ନନ୍ଦୀ ହିଲ୍ସ ପାଦଦେଶରେ ପୁଲିସ ୭ ବର୍ଷର ଶିଶୁ ପୁନିତଙ୍କ ମୃତଦେହ ଉଦ୍ଧାର କରିଛି। ଅନ୍ୟ ୬ ଜଣଙ୍କ ମୃତଦେହ ଏଯାଏଁ ମିଳିନାହିଁ। ନନ୍ଦୀ ହିଲ୍ସ ସମେତ ଚାରମାଡି ଘାଟ ଓ ତାମିଲନାଡ଼ୁର କେତେକ ସ୍ଥାନରେ ଖୋଜାଖୋଜି ଚାଲିଛି। ଶୁକ୍ରବାର ପୁଲିସ କମିସନର ସୀମନ୍ତ କୁମାର ସିଂହ କହିଛନ୍ତି ଯେ ଅଭିଯୁକ୍ତ ୧୫ରୁ ୨୦ ଦିନ ମଧ୍ୟରେ ହତ୍ୟା କରିଥିବା ଦାବି କରିଛି। ଏହି ସମୟସୀମା ଓ ଘଟଣାକ୍ରମର ସତ୍ୟତା ଯାଞ୍ଚ କରାଯାଉଛି। ଅଭିଯୁକ୍ତର ନାବାଳିକା ଝିଅର ସମ୍ଭାବ୍ୟ ସମ୍ପୃକ୍ତି ନେଇ ମଧ୍ୟ ପୁଲିସ ତଦନ୍ତ କରୁଛି। ହତ୍ୟା ପଛରେ ସମ୍ପତ୍ତି ବିବାଦ ଥିଲା କି ନାହିଁ, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି।

56 minutes ago
1


