BayofBengal: ବଙ୍ଗୋପସାଗରରେ ୬ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜୁଛି ନୌସେନା

4 weeks ago 12
ARTICLE AD BOX

ବିଶାଖାପାଟଣା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ପ୍ରତିକୂଳ ପାଗ ମଧ୍ୟରେ ଏକ ମାଛଧରା ବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଉପକୂଳରୁ ପ୍ରାୟ ୬ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନିଖୋଜ ହୋଇଯାଇଛନ୍ତି। ବୋଟରେ ୭ଜଣ ମତ୍ସ୍ୟଜୀବୀ ଥିବା ବେଳେ ରବିବାର ସେହି ବାଟ ଦେଇ ଯାଉଥିବା ଏକ ପର୍ଯ୍ୟଟନ କ୍ରୁଜ୍ ଜାହାଜ ଜଣେ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏହି ମତ୍ସ୍ୟଜୀବୀମାନେ ଗତ ଜୁଲାଇ ୧ ତାରିଖରେ ବିଶାଖାପାଟଣା ଫିସିଂ ହାର୍ବରରୁ ସମୁଦ୍ରକୁ ଯାଇଥିଲେ ଏବଂ ଜୁଲାଇ ୪ ସୁଦ୍ଧା ଫେରିବାର ଥିଲା। 

ଇଷ୍ଟ କୋଷ୍ଟ ମେକାନାଇଜ୍ଡ ଫିସିଂ ବୋଟ୍ ଓନର୍ସ ଆସୋସିଏସନର ସୂଚନା ଅନୁଯାୟୀ, ଜୁଲାଇ ୩ ତାରିଖରେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେବା ପରେ ମତ୍ସ୍ୟ ବିଭାଗ ଓ ମରାଇନ୍ ପୋଲିସ ପକ୍ଷରୁ ଏହି ବୋଟର କ୍ରୁ ମେମ୍ବରମାନଙ୍କ ସହ ଯୋଗାଯୋଗ କରାଯାଇ ସମୁଦ୍ର ଅଶାନ୍ତ ଥିବାରୁ ତୁରନ୍ତ କୂଳକୁ ଫେରିବା ପାଇଁ ଚେତାବନୀ ଦିଆଯାଇଥିଲା। ମାତ୍ର ବୋଟଟିରେ କିଛି ଯାନ୍ତ୍ରିକ ତ୍ରୁଟି ଘଟିବା କାରଣରୁ ସେମାନେ ଫେରିପାରିନଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ସହ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ନିଖୋଜ ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ୬ ଜଣ ବିଜୟନଗରମ ଜିଲ୍ଲାର ଭୋଗାପୁରମ ଅନ୍ତର୍ଗତ ମୁକ୍କାମ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ଜଣେ ବିଶାଖାପାଟଣା ଜିଲ୍ଲା ଭିମିଲି ଅଞ୍ଚଳର ବୋଲି ଜଣାପଡ଼ିଛି।

ଆହୁରି ପଢନ୍ତୁ: Election: ଜୁଲାଇ ୩୦ରେ ବାଙ୍କିପୁର ଉପନିର୍ବାଚନ, ଅଗଷ୍ଟ ୩ରେ ଫଳାଫଳ

ଏହି ଘଟଣା ସାମ୍ନାକୁ ଆସିବା ପରେ ମତ୍ସ୍ୟଜୀବୀମାନଙ୍କ ପରିବାର ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଥିଲା ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ କୋଷ୍ଟ ଗାର୍ଡ, ଭାରତୀୟ ନୌସେନା ଏବଂ ମରାଇନ୍ ପୋଲିସର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସମୁଦ୍ର ମଧ୍ୟରେ ଯବାନମାନେ ବୋଟ୍ ଜରିଆରେ ଖୋଜାଖୋଜି ଜାରି ରଖିଥିବା ବେଳେ ନୌସେନାର ସ୍ୱତନ୍ତ୍ର ହେଲିକପ୍ଟର ଗୁଡ଼ିକ ମଧ୍ୟ ଆକାଶମାର୍ଗରୁ ନିଖୋଜ ବୋଟର ସନ୍ଧାନ ନେଉଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ବରିଷ୍ଠ ଅଧିକାରୀମାନଙ୍କ ସହ ଏହି ସ୍ଥିତିର ସମୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟକୁ ଅଧିକ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସମ୍ପୂର୍ଣ୍ଣ ଅପରେସନର ନଜର ରଖିବା ପାଇଁ ମରାଇନ୍ ପୋଲିସର ଆଇଜି ଏବଂ ବିଶାଖାପାଟଣା ପୋଲିସ କମିଶନରଙ୍କୁ ମିଳିତ ଦାୟିତ୍ୱ ଦେଇଛନ୍ତି। ସମୁଦ୍ର ମଧ୍ୟରେ ଉଚ୍ଚ ଜୁଆର ଏବଂ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲେ ମଧ୍ୟ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.