Bahuda Yatra In Bahrin: ବାହାରିନରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଆଡ଼ମ୍ବରପୂର୍ଣ୍ଣ ବାହୁଡ଼ାଯାତ୍ରା

1 week ago 5
ARTICLE AD BOX

ମାନାମା: ବାହାରିନର ରାଜଧାନୀ ମାନାମାଠାରେ ପ୍ରବାସୀ ଓଡ଼ିଆଙ୍କ ପ୍ରମୁଖ ସଂଗଠନ 'ବାହାରିନ ଓଡ଼ିଆ ସମାଜ' ପକ୍ଷରୁ ଘୋଷଯାତ୍ରା ପର୍ବର ଅନ୍ତିମ ଦିବସ ବାହୁଡ଼ା ଯାତ୍ରା ଭବ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା। ଏହି ପବିତ୍ର ଅବସରରେ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ଘଣ୍ଟ, ଘଣ୍ଟା, ମୃଦଙ୍ଗ ଓ ବିଭିନ୍ନ ବାଦ୍ୟର ନାଦ ମଧ୍ୟରେ "ହରିବୋଲ" ଏବଂ "ଜୟ ଜଗନ୍ନାଥ" ଧ୍ୱନିରେ ସମଗ୍ର ପରିବେଶକୁ ଭକ୍ତିମୟ କରିଦେଇଥିଲେ। ସମସ୍ତେ ଭକ୍ତିଭାବରେ ରଥ ଟାଣି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ।

ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା ବିଜେ କରିବା ପରେ ଭକ୍ତମାନେ ଭାବବିହ୍ୱଳ ହୋଇଉଠିଥିଲେ। ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ପରିକ୍ରମା ପରେ ଶତାଧିକ ଭକ୍ତ ମହାପ୍ରସାଦ ସେବନ କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଦର୍ଶକଙ୍କୁ ମୁଗ୍ଧ କରିଥିଲା।

ଏହି ଅବସରରେ ବାହାରିନ ଓଡ଼ିଆ ସମାଜର ସଭାପତି ରାମଚନ୍ଦ୍ର ସାହୁ ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ଓ ବିଶ୍ୱବ୍ୟାପୀ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ। ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଅମରେଶ ପଣ୍ଡା, ସାଂସ୍କୃତିକ ସମ୍ପାଦିକା ସରିତା ପାଢ଼ୀ, କ୍ରୀଡ଼ା ସମ୍ପାଦକ ଅନିରୁଦ୍ଧ ବିଶ୍ୱାଳ ଏବଂ ଜନସମ୍ପର୍କ ସମ୍ପାଦିକା ଅଙ୍କିତା ନାୟକ ସମସ୍ତ ଭକ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଉପରେ ଆଲୋଚନା କରିଥିଲେ। ବିଦେଶ ମାଟିରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଳନ କରିବା ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ସୌଭାଗ୍ୟ ଓ ଗର୍ବର ବିଷୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ।

ରଥଯାତ୍ରାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ନଅ ଦିନ ଧରି ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ। ଏହି ଉତ୍ସବରେ ଶତାଧିକ ଅଣଓଡ଼ିଆ ଭକ୍ତ ମଧ୍ୟ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ ଓ ରଥ ଟାଣିବାର ସୁଯୋଗ ପାଇ ନିଜକୁ ସୌଭାଗ୍ୟବାନ ମନେ କରିଥିଲେ। ବାହାରିନରେ ରଥଯାତ୍ରା ଉତ୍ସବ ନଅ ଦିନ ଧରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଅତ୍ୟନ୍ତ ଆଡ଼ମ୍ବର ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରାଯାଏ। ପ୍ରବାସୀ ଓଡ଼ିଆମାନେ ବର୍ଷସାରା ଏହି ମହାପର୍ବକୁ ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି।

ଏ ବର୍ଷ ର ମୁଖ୍ୟ ଆକର୍ଷଣ ଥିଲା ଭୁବନେଶ୍ୱର ଇସ୍କନ୍ (ISKCON)ର ପ୍ରମୁଖ ବକ୍ତା ଅକ୍ଷୟ ହରି ପ୍ରଭୁ ମହାପ୍ରଭୁ ଜଗନ୍ନାଥଙ୍କ ଅଲୌକିକ ଲୀଳା ଓ ମହିମା ସମ୍ପର୍କରେ ଆଧ୍ୟାତ୍ମିକ ଆଲୋଚନା । ଉପସ୍ଥିତ ଭକ୍ତମାନେ ତାଙ୍କର ପ୍ରେରଣାଦାୟକ ବକ୍ତବ୍ୟକୁ ଅତ୍ୟନ୍ତ ଆନନ୍ଦ ଓ ଭକ୍ତିଭାବର ସହିତ ଶ୍ରବଣ କରିଥିଲେ। ଶେଷରେ ଶ୍ରୀଶ୍ରୀ ରାଧାଗୋପାଳକୃଷ୍ଣ ମନ୍ଦିରର ସଭାପତି ପ୍ରଶାନ୍ତ ମହାନ୍ତି ଏବଂ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କିଶୋର ଦାସ, ବିଷ୍ଣୁପ୍ରସାଦ ମହାନ୍ତି ଓ ଭକ୍ତହରି ଅଗସ୍ତି କହିଥିଲେ ଯେ, ବିଦେଶ ମାଟିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଳନ କରିବା ତାଙ୍କର ଅସୀମ କୃପା ଓ ଦିବ୍ୟ ଲୀଳାର ପ୍ରତୀକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.