Award: ବାମରାର ଗର୍ବ: ବିଶ୍ୱସ୍ତରୀୟ ‘ରିଚାର୍ଡ ଏମ୍. ବାସ୍’ ପୁରସ୍କାର ପାଇବେ ବୈଜ୍ଞାନିକ ଶୁଭମ ସାହୁ

6 days ago 4
ARTICLE AD BOX

ଗଡ଼ପୋଷ:ସମ୍ବଲପୁର ଜିଲ୍ଲାର ବାମରା ମାଟିର ପୁଅ ତଥା ବିଶିଷ୍ଟ ବୈଜ୍ଞାନିକ ଡ଼. ଶୁଭମ ସାହୁ ବିଦ୍ୟୁତ ଶକ୍ତି (ପାୱାର ଇଲେକ୍ଟ୍ରୋନିକ୍ସ) କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଓ ଅବଦାନ ପାଇଁ ବିଶ୍ୱପ୍ରସିଦ୍ଧ 'ରିଚାର୍ଡ ଏମ୍ ବାସ ଆଉଟ୍‌ଷ୍ଟାଣ୍ଡିଂ ୟଙ୍ଗ ପାୱାର ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଆୱାର୍ଡ–୨୦୨୬’ ପାଇଁ ମନୋନୀତ ହୋଇଛନ୍ତି। ଏହି ସଫଳତା କେବଳ ବାମରା କିମ୍ବା ସମ୍ବଲପୁର ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି। ଏହି ସମ୍ମାନ ୩୫ ବର୍ଷରୁ କମ୍ ବୟସର ଯୁବ ଗବେଷକମାନଙ୍କୁ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ପ୍ରଦାନ କରାଯାଏ।

Student Death: ବି.ଏଡ୍‌ ପଢ଼ିବା ସ୍ୱପ୍ନ ଅଧୁରା: ଗୋଆରେ ଦାଦନ ଖଟୁଥିବା ଛାତ୍ରଙ୍କ ମୃତ୍ୟୁ

୧୯୯୯ ମସିହାରେ ପ୍ରସିଦ୍ଧ ବୈଜ୍ଞାନିକ ରିଚାର୍ଡ ଏମ୍. ବାସଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ଡ଼. ଶୁଭମ ସାହୁ ଡେନମାର୍କର ଆଲବର୍ଗ ବିଶ୍ୱବିଦ୍ୟାଳୟର ଉର୍ଜା ବିଭାଗରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। କୃତ୍ରିମ ବୁଦ୍ଧିମତ୍ତା, ଯୋଗାଯୋଗ ବ୍ୟବସ୍ଥା ଓ ପାୱାର ଇଲେକ୍ଟ୍ରୋନିକ୍ସର ସମନ୍ୱୟ ସହ ସୁରକ୍ଷିତ ବିଦ୍ୟୁତ ଉପକରଣର ଡିଜାଇନ୍ କ୍ଷେତ୍ରରେ ତାଙ୍କ ଗବେଷଣା ଆନ୍ତର୍ଜାତିକ ସ୍ତରରେ ବେଶ ପ୍ରଶଂସିତ ହୋଇଛି। ସେ ପୂର୍ବରୁ ଏଡିନବର୍ଗ ବିଶ୍ୱବିଦ୍ୟାଳୟ, ସିଙ୍ଗାପୁର ନ୍ୟାସନାଲ୍ ୟୁନିଭର୍ସିଟି (ଏନୟୁଏସ)ଓ ଏମଆଇଟି ପରି ବିଶ୍ୱବିଖ୍ୟାତ ସଂସ୍ଥା ସହ ଗବେଷଣା କରିଛନ୍ତି। ଏହା ସହିତ ଡେନିଶ ଡାଟା ସାଇନ୍ସ ଏକାଡେମି, ୟୁରୋପୀୟ ଗବେଷଣା ପ୍ରୟୋଗଶାଳା ଓ ଲୁଣ୍ଡବେକ୍ ଫାଉଣ୍ଡେସନ୍ ସହ ମଧ୍ୟ ସେ ଜଡ଼ିତ ଅଛନ୍ତି।

କାନାଡାରେ ପୁରସ୍କାର ପ୍ରଦାନ

ବାମରାର ନବଘନ ସାହୁ ଓ ମୀନାକ୍ଷୀ ସାହୁଙ୍କ ପୁତ୍ର ଶୁଭମ ସାହୁ ସମ୍ବଲପୁରର କେନ୍ଦ୍ରୀୟ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ଭିଏସଏସୟୁଟି (ଭିସୁଟ) ବୁର୍ଲାରୁ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ବିଟେକ୍ ଏବଂ ଆଇଆଇଟି ଦିଲ୍ଲୀରୁ ପିଏଚ୍‌ଡି ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ଏନୟୁଏସ ଓ ଆଲବର୍ଗ ବିଶ୍ୱବିଦ୍ୟାଳୟରେ ପୋଷ୍ଟ-ଡକ୍ଟରାଲ୍ ଗବେଷଣା କରିଥିଲେ। ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ କାନାଡାର ଭାନକୁଭର ସହରରେ ଆୟୋଜିତ ଏକ ସମାରୋହରେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଡ଼. ଶୁଭମ ସାହୁଙ୍କ ଏହି ଆନ୍ତର୍ଜାତିକ ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାସହ ଭିସୁଟ ନିଜର ଆଲୁମିନି ପୋର୍ଟାଲରେ ତାଙ୍କର ସଫଳତାକୁ ସ୍ଥାନ ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.