ARTICLE AD BOX
ବେତନଟୀ (ଦୀପକ କୁମାର ସିଂହ): ଦିନରେ ପୁଲିସ ହାତରୁ ଖସିଗଲା ଅଭିଯୁକ୍ତ। ଆଉ ରାତିରେ ସେହି ଢାବାକୁ ଫେରି ଘଟାଇଲା ତୁମୁଳ କାଣ୍ଡ। ମଦ ପିଇବାକୁ ମନା କରିବାରୁ ଆରମ୍ଭ ହୋଇଥିବା ବିବାଦ ଶେଷରେ ଢାବା କର୍ମଚାରୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣର ରୂପ ନେଇଛି। ଘଟଣା ବୈଶିଙ୍ଗା ଥାନା ଅଧୀନ ଜାତୀୟ ରାଜପଥର ଗଡ଼ଦେଉଳିଆ ଛକ ଉପକଣ୍ଠ ଗୁଞ୍ଜନ ଢାବାରେ ଘଟିଛି।
ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ବାଲେଶ୍ୱର ଜିଲ୍ଲା ନହରପାଟଣା ଅଞ୍ଚଳର ୪ ଜଣ ଯୁବକ ଗୁଞ୍ଜନ ଢାବାକୁ ଆସିଥିଲେ। ଢାବାରେ ମଦ ପିଇବାକୁ ସେମାନେ କର୍ମଚାରୀ ଗୋପାଲ ମଦକଙ୍କୁ ଜିଦ୍ କରିଥିଲେ। ଗୋପାଲ ମନା କରିବାରୁ ଯୁବକମାନେ ଧମକଚମକ ଦେବା ସହ ପାଟିତୁଣ୍ଡ କରି ଜୋରଜବରଦସ୍ତ ମଦ ପିଇଥିବା ଅଭିଯୋଗ ହୋଇଛି।
ଏହି ସମୟରେ ସେହି ରାସ୍ତା ଦେଇ ବୈଶିଙ୍ଗା ଥାନାର ପୁଲିସ ପେଟ୍ରୋଲିଂ ଟିମ୍ ଯାଉଥିଲା। ଢାବାରେ ଗଣ୍ଡଗୋଳ ଦେଖି ପୁଲିସ ସେଠାରେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ୩ ଜଣ ଯୁବକ ଘଟଣାସ୍ଥଳରୁ ଖସିଯାଇଥିବାବେଳେ ଜଣଙ୍କୁ ପୁଲିସ କାବୁ କରି ଭ୍ୟାନରେ ବସାଇଥିଲା।
ତେବେ ପର୍ଯ୍ୟାପ୍ତ ପୁଲିସ କର୍ମଚାରୀ ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ପୁଲିସ ଭ୍ୟାନରୁ ଡେଇଁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପରେ ପୁଲିସ ଢାବା ବାହାରେ ଥିବା ଅଭିଯୁକ୍ତଙ୍କ ବାଇକ୍କୁ ଜବତ କରି ଥାନାକୁ ନେଇଯାଇଥିଲା।
କିନ୍ତୁ ଘଟଣା ଏତିକିରେ ଥମିନଥିଲା। ରାତିରେ ପୁଣି ଉକ୍ତ ଯୁବକମାନେ ମାରଣାସ୍ତ୍ର ଧରି ଗୁଞ୍ଜନ ଢାବାକୁ ଆସିଥିଲେ। ଜବତ ହୋଇଥିବା ବାଇକ୍ ସମ୍ପର୍କରେ ସେମାନେ ଗୋପାଲଙ୍କୁ ପଚାରିଥିଲେ। ବାଇକ୍ଟି ପୁଲିସ ନେଇଯାଇଥିବା ଗୋପାଲ କହିବାରୁ ଯୁବକମାନେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ଏହାପରେ ମାରଣାସ୍ତ୍ରରେ ଗୋପାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଗୋପାଲ ଗୁରୁତର ଆହତ ହୋଇଥିଲେ। ଏହା ସହିତ ଢାବା କାଉଣ୍ଟରରେ ଥିବା ପ୍ରାୟ ୭ ହଜାର ଟଙ୍କା ନେଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି।
Attack: ପ୍ରେମୀଯୁଗଳଙ୍କୁ ବାରଣ କରିବାରୁ ପ୍ରାଣାନ୍ତକ ଆକ୍ରମଣର ଶିକାର ହେଲେ ପୁଲିସ କର୍ମଚାରୀ
ଗୁରୁତର ଗୋପାଲଙ୍କୁ ଢାବାର ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଘଟଣା ସମ୍ପର୍କରେ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦିନରେ ପୁଲିସ ହାତରୁ ଖସିଥିବା ଅଭିଯୁକ୍ତ ରାତିରେ ପୁଣି ଢାବାକୁ ଫେରି ଏଭଳି ଆକ୍ରମଣ କରିଥିବାରୁ ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

5 days ago
6


