ARTICLE AD BOX
କିବ୍: ରୁଷ୍ ଦ୍ବାରା ୟୁକ୍ରେନର ରାଜଧାନୀ କିବ୍ରେ ବୁଧବାରରୁ ଗୁରୁବାର ରାତି ଯାଏ ହୋଇଥିବା ପ୍ରଚଣ୍ଡ ଆକ୍ରମଣ ପରେ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି ବୋଲି ସରକାରଙ୍କ ପକ୍ଷରୁ ଶୁକ୍ରବାର କୁହାଯାଇଛି। ନିରନ୍ତର ଆକ୍ରମଣ ଓ ବିସ୍ଫୋରଣରେ ସହରର ଅନେକ ଅଞ୍ଚଳ ଭାରି କ୍ଷତିଗ୍ରସ୍ତ ହୋଇଛି। ଧ୍ୱଂସସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି ଏବଂ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ରୁଷ୍ ଆକ୍ରମଣର କଡ଼ାଗଣ୍ଡା ହିସାବ ନିଆଯିବ ଓ ତୁରନ୍ତ ସମାନୁପାତିକ ଜବାବ ଦିଆଯିବ ବୋଲି କହିଛନ୍ତି।
ରିପୋର୍ଟ ଅନୁସାରେ, ଏହି ଆକ୍ରମଣ ଏକାଧିକ ପର୍ଯ୍ୟାୟରେ ହୋଇଥିଲା ଏବଂ ଏଥିରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ସହରର ଆବାସିକ ଅଞ୍ଚଳ, ଭବନ ଓ କିଛି ଜନସାଧାରଣ ସୁବିଧା କେନ୍ଦ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ଧ୍ୱଂସ ହୋଇଯାଇଥିବାରୁ ଲୋକମାନେ ରାତିରେ ଖୋଲା ଆକାଶ ତଳେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।
ଆକ୍ରମଣ ପରେ ତୁରନ୍ତ ଜରୁରିକାଳୀନ ସେବା ଟିମ୍ଗୁଡ଼ିକୁ ସକ୍ରିୟ କରାଯାଇଛି। ଅଗ୍ନିଶମ ବିଭାଗ, ଚିକିତ୍ସା ଦଳ ଓ ଉଦ୍ଧାରକାରୀମାନେ ଧ୍ୱଂସାବଶେଷ ମଧ୍ୟରେ ଫସିଥିବା ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି। ଅନେକ ସ୍ଥାନରେ ନିଆଁ ଲାଗିଥିବାରୁ ଉଦ୍ଧାର କାର୍ଯ୍ୟ ଆହୁରି ଜଟିଳ ହୋଇପଡ଼ିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଡାକ୍ତରମାନେ ସତର୍କ କରାଇଛନ୍ତି। ଏହି ଆକ୍ରମଣ ପରେ ସହରର ବିଦ୍ୟୁତ୍ ଓ ଯୋଗାଯୋଗ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। କିଛି ଅଞ୍ଚଳରେ ପାଣି ଯୋଗାଣ ମଧ୍ୟ ବିଚ୍ଛିନ୍ନ ହୋଇଛି। ଏହି ପରିସ୍ଥିତିରେ କିବ୍ର ଲୋକମାନେ ଭୟ ଓ ଅନିଶ୍ଚିତତା ମଧ୍ୟରେ ରହୁଛନ୍ତି।
Russia Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ୨୦ ଲକ୍ଷରୁ ଅଧିକ ସୈନିକ ମୃତାହତ: ରୁଷ ସହିଛି ଅଧିକ କ୍ଷତି

1 month ago
14


