Asian Games: ଏସୀୟ କ୍ରୀଡ଼ା: ନୂଆ ମୁହଁ, ୭୦୨ କୋଟିର ପୁଞ୍ଜି ବିନିଯୋଗ

2 days ago 1
ARTICLE AD BOX

ନୂଆଦିଲ୍ଲୀ: ଆଗାମୀ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟାକୁ ଆହୁରି ବଢ଼ାଇବା ଲକ୍ଷ୍ୟରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ବ୍ୟାପକ ପ୍ରସ୍ତୁତି କରିଛି। ଗତ ୩ ବର୍ଷ ମଧ୍ୟରେ ଖେଳାଳିଙ୍କ ପ୍ରଶିକ୍ଷଣ, ଉପକରଣ, ବିଦେଶୀ ପ୍ରତିଯୋଗିତାରେ ଅଂଶଗ୍ରହଣ, ପ୍ରଶିକ୍ଷକ ଓ ବିଶେଷଜ୍ଞ ନିଯୁକ୍ତି ଆଦି ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରାୟ ୭୦୨.୮୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ବ୍ୟତୀତ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍‌ (ଟପ୍ସ) ମାଧ୍ୟମରେ ଆଉ ୯୭.୮୪ କୋଟି ଟଙ୍କା ବିନିଯୋଗ ହୋଇଛି।

ଜାପାନରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଆଗାମୀ ଏସୀୟ କ୍ରୀଡ଼ାରେ ଭାରତର ୫୦୧ ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବ। ଏଥିରେ ଅଛନ୍ତି ୨୬୭ଜଣ ପୁରୁଷ ଏବଂ ୨୩୪ଜଣ ମହିଳା ଖେଳାଳି। ୩୬ଟି କ୍ରୀଡ଼ାରେ ଭାରତୀୟ ଦଳ ଅଂଶଗ୍ରହଣ କରିବ। ଏଥର ୩୧୦ଜଣ ଭାରତୀୟ ଖେଳାଳି ପ୍ରଥମଥର ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ଏଥିନେଇ ଟପ୍ସର ମୁଖ୍ୟ କାର୍ଯନିର୍ବାହୀ ଏନ୍‌ଏସ୍‌ ଜୋହଲ କହିଛନ୍ତି, ବିଭିନ୍ନ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ଭଲ ଗତି ଦେଖିବାକୁ ମିଳୁଛି। ଯୁବ ଖେଳାଳିମାନେ ସ୍ବଳ୍ପ ବୟସରେ ଶୀର୍ଷସ୍ତରୀୟ ପ୍ରତିଯୋଗିତାକୁ ଆସିବା ଭାରତୀୟ କ୍ରୀଡ଼ା ପାଇଁ ଏକ ଭଲ ସଙ୍କେତ। ଏଥର ଭାରତୀୟ ଦଳରେ ଅନେକ ଯୁବ ପ୍ରତିଭାଙ୍କ ଉପରେ ନଜର ରହିବ।

ବୈଭବ, ଆୟୁଷ, ଅନହାତଙ୍କ ଉପରେ ନଜର

୧୫ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ, ଟିଟି ତାରକା ସିଣ୍ଡ୍ରେଲା ଦାସ, ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଆୟୁଷ ସେଟ୍ଟୀ, ୧୮ ବର୍ଷୀୟ ସ୍କ୍ୱାସ୍‌ ତାରକା ଅନାହତ ସିଂହ ଏବଂ ଜୁଡୋକା ଅସ୍ମିତା ଦେ’ଙ୍କ ଭଳି ଯୁବ ଖେଳାଳିମାନେ ଭାରତର ଭବିଷ୍ୟତ ପଦକ ଆଶାକୁ ମଜବୁତ କରିଛନ୍ତି। ଜୋହଲଙ୍କ ଅନୁଯାୟୀ, ଚଳିତ ବର୍ଷ ଜାନୁଆରିଠାରୁ ଏସୀୟ କ୍ରୀଡ଼ା ପାଇଁ ଟପ୍ସ ଅଧୀନରେ ୯ଟି ସମନ୍ୱୟ ବୈଠକ ହୋଇଛି। ପ୍ରଶାସନିକ ସମସ୍ୟା ସତ୍ତ୍ୱେ ଖେଳାଳିଙ୍କୁ ସର୍ବୋତ୍ତମ ପରିବେଶ ଓ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତର ପ୍ରମୁଖ କ୍ରୀଡ଼ା ବିକାଶ ବ୍ୟବସ୍ଥା ‘ଖେଲୋ ଇଣ୍ଡିଆ’ରୁ ଆସିଥିବା ୬୫ଜଣ ଖେଳାଳି ଏଥର ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହା ଦେଶର ତୃଣମୂଳସ୍ତରୀୟ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମର ସଫଳତାକୁ ମଧ୍ୟ ଦର୍ଶାଉଛି। ଖେଳାଳିଙ୍କ ପ୍ରସ୍ତୁତି ପାଇଁ ଖର୍ଚ୍ଚ ହୋଇଥିବା ୭୦୨.୮୬ କୋଟି ଟଙ୍କା ମଧ୍ୟରୁ ସର୍ବାଧିକ ୨୫୧.୪ କୋଟି ଟଙ୍କା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଖେଳାଳିଙ୍କୁ ଅଧିକ ଅଭିଜ୍ଞତା ଦେବା ପାଇଁ ଖର୍ଚ୍ଚ ହୋଇଛି। ଏହାପରେ ଦେଶ ଭିତରେ ପ୍ରଶିକ୍ଷଣ ପାଇଁ ୧୧୮.୩ କୋଟି ଟଙ୍କା ବ୍ୟୟ ହୋଇଛି।

ସୂଚନାଯୋଗ୍ୟ ଯେ ଗତ ହାଙ୍ଗ୍‌ଝୁ ଏସୀୟ କ୍ରୀଡ଼ାରେ ଭାରତ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୦ଟି କାଂସ୍ୟ ସହ ମୋଟ ୧୦୬ଟି ପଦକ ଜିତିଥିଲା। ଏହା ଏସୀୟ କ୍ରୀଡ଼ା ଇତିହାସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏଥର ସେହି ୧୦୬ ପଦକର ରେକର୍ଡକୁ ଅତିକ୍ରମ କିମ୍ବା ଅତି କମ୍‌ରେ ସମାନ କରିବା ଲକ୍ଷ୍ୟରେ ଭାରତ ମଇଦାନକୁ ଓହ୍ଲାଇବ। ଖେଳାଳିଙ୍କ ସହ ୨୬୫ ଜଣ ସପୋର୍ଟ ଷ୍ଟାଫ୍‌ ବା ସହକାରୀ ଅଧିକାରୀ ମଧ୍ୟ ଭାରତୀୟ ଦଳରେ ରହିବେ। ଏଥିରେ ଫିଜିଓ, ଡାକ୍ତର, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ବିଭିନ୍ନ କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି। ସପୋର୍ଟ ଷ୍ଟାଫ୍‌ଙ୍କ ମଧ୍ୟରେ ୫୬ଜଣ ମହିଳା ରହିଛନ୍ତି, ଯାହା ମୋଟ ସଂଖ୍ୟାର ପ୍ରାୟ ୨୨ ପ୍ରତିଶତ। ଜୋହଲ କହିଛନ୍ତି, ଶେଷରେ ପଦକ ଜିତିବାର ଦାୟିତ୍ୱ ଖେଳାଳିଙ୍କ ଉପରେ ହିଁ ରହିବ। ତେବେ ଭାରତୀୟ ଖେଳାଳିଙ୍କ ପ୍ରସ୍ତୁତିରେ କୌଣସି ଅଭାବ ରଖାଯାଇନାହିଁ। ଯୁବ ଖେଳାଳିଙ୍କ ଉତ୍ସାହ ଓ ବରିଷ୍ଠଙ୍କ ଅଭିଜ୍ଞତା ସହ ଭାରତ ଏଥର ନୂଆ ପଦକ ଇତିହାସ ରଚିବା ଲକ୍ଷ୍ୟରେ ରହିଛି।

ଭଦ୍ରକରେ ୮ ନୂତନ ସେତୁ ପାଇଁ ୨୪ ଲକ୍ଷ ଟଙ୍କା ମଞ୍ଜୁର, ଆରମ୍ଭ ହେବ ସର୍ଭେ ଓ ପରୀକ୍ଷଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.