ARTICLE AD BOX
ଭୁବନେଶ୍ୱର: ଚୀନ୍ର ମୋକିଠାରେ ଆୟୋଜିତ କନିଷ୍ଠ ଏସିଆ କପ୍ ବିଜେତା ଭାରତୀୟ ପୁରୁଷ ଓ ମହିଳା ଦଳରେ ଭୁବନେଶ୍ବରସ୍ଥିତ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସିର ୮ ଜଣ ଖେଳାଳି ରହିଥିଲେ। ପୁରୁଷରେ ୬ ଓ ମହିଳା ୨ ଜଣ ରହି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିଲେ। ପୁରୁଷ ଦଳରେ ଅଧିନାୟକ ଅନମୋଲ ଏକ୍କାଙ୍କ ସହ ଆଦ୍ରୋହିତ ଏକ୍କା, ବିବେକ ଲାକ୍ରା, ଆର୍ଯ୍ୟନ ଖେସ୍, ସଞ୍ଜିତ ତିର୍କି ଓ ରୋହିତ କୁଲୁ ଥିଲେ। ଅନମୋଲ ସର୍ବାଧିକ ୧୭ ଗୋଲ୍ କରି ଶ୍ରେଷ୍ଠ ଗୋଲ୍ ସ୍କୋରର୍ ପୁରସ୍କାର ଜିତିଥିଲା ବେଳେ ବିବେକ ଶ୍ରେଷ୍ଠ ଗୋଲ୍କିପର ହାତେଇଥିଲେ।
ଏହି ସଫଳତା ସମ୍ପର୍କରେ ପ୍ରତିକ୍ରିୟା ଦେଇ ହକି ଏସ୍ ଫାଉଣ୍ଡେସନ୍ର ସିଇଓ କ୍ୟାପ୍ଟେନ୍ ଅମିତାଭ କହିଛନ୍ତି, ‘‘ଆମ କେନ୍ଦ୍ରର ୮ ଜଣ କ୍ୟାଡେଟ୍ ଦେଶ ପାଇଁ ପ୍ରତିନିଧିତ୍ୱ କରି କନିଷ୍ଠ ଏସିଆ କପ୍ରେ ସ୍ୱର୍ଣ୍ଣ ପଦକ ଜିତିବା, ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ଏବଂ ହକି ଏସ୍ ଫାଉଣ୍ଡେସନ୍ ପାଇଁ ଗର୍ବର ମୁହୂର୍ତ୍ତ। ଅନମୋଲ ଓ ବିବେକ ନିଜ ନିଜର ପ୍ରଦର୍ଶନ ବଳରେ ପୁରସ୍କୃତ ହେବା ଏହି ଗୌରବକୁ ଦ୍ଵିଗୁଣିତ କରିଛି। ଯୁବ ଆଥଲେଟ୍ମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ପ୍ରତିଯୋଗିତା କରିବା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ, ଆଧୁନିକ ଭିତ୍ତିଭୂମି ଏବଂ ସମସ୍ତ ସୁବିଧା ଯୋଗାଇଦେବା ଆମର ମୂଳ ଲକ୍ଷ୍ୟ। ଏହିପରି ଆନ୍ତର୍ଜାତୀୟ ସଫଳତା ଆମ ସଂକଳ୍ପକୁ ଆହୁରି ଦୃଢ଼ କରିବା ସହ ଆଗାମୀ ପିଢ଼ିର ହକି ଖେଳାଳିଙ୍କୁ ପ୍ରେରଣା ଯୋଗାଇବ।’’
ଆହୁରି ପଢନ୍ତୁ: Bihar: ବିହାର ବନ୍ୟାରେ ୫୦ ଲକ୍ଷ ଲୋକ ପ୍ରଭାବିତ, ୮.୨୭ ଲକ୍ଷ ପରିବାରକୁ ୫୭୯ କୋଟିର ରିଲିଫ୍
ଟାଟା ଷ୍ଟିଲ୍, ଟାଟା ଟ୍ରଷ୍ଟ୍ସ ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟମରେ ଗଠିତ ‘ହକି ଏସ୍ ଫାଉଣ୍ଡେସନ୍’ ଭୁବନେଶ୍ୱରଠାରେ ‘ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରର୍ମାନ୍ସ ସେଣ୍ଟର’ ଏବଂ ଜାମସେଦପୁରଠାରେ ‘ନାଭାଲ ଟାଟା ହକି ଏକାଡେମୀ’ ପରିଚାଳନା କରୁଛି। ଠିକ୍ ପ୍ରଶିକ୍ଷଣ, ହାଇ-ପରଫରର୍ମାନ୍ସ ଟ୍ରେନିଂ, ଟାକ୍ଟିକାଲ ଆନାଲିସିସ ଏବଂ ଖେଳାଳିଙ୍କ ସମଗ୍ର ବିକାଶ ଉପରେ ଏହି ଅନୁଷ୍ଠାନ ଗୁରୁତ୍ୱ ଦେଇଆସୁଛି। କନିଷ୍ଠ ଏସିଆ କପ୍ରେ ଆମର ୮ ଜଣ ଖେଳାଳିଙ୍କର ଏହି ସଫଳତା, ଓଏନ୍ଟିଏଚ୍ଏଚ୍ପିସିର ବିଶ୍ୱସ୍ତରୀୟ ହକି ଖେଳାଳି ଗଢ଼ିବାର ପ୍ରଚେଷ୍ଟାରେ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

2 days ago
1


