ARTICLE AD BOX
ୱାସିଂଟନ: ଜଣାଶୁଣା ଏବଂ ବିବାଦୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆଣ୍ଡ୍ରୁ ଟେଟ୍ ଏବଂ ତାଙ୍କ ଭାଇ ଟ୍ରିଷ୍ଟାନ୍ ଟେଟ୍ଙ୍କୁ ମିଆମିରେ ଆମେରିକାର ଫେଡେରାଲ୍ କର୍ତ୍ତୃପକ୍ଷ ଗିରଫ କରିଛନ୍ତି। ଆମେରିକା ମାର୍ଶାଲ୍ସ ସର୍ଭିସ୍ ଗିରଫଦାରୀକୁ ନିଶ୍ଚିତ କରିଛି। ୟୁଏସ୍ ମାର୍ଶାଲ୍ସ ସର୍ଭିସ୍ କହିଛି ଯେ ଉଭୟ ଭାଇଙ୍କୁ ହେପାଜତକୁ ନିଆଯାଇଛି, କିନ୍ତୁ ସେମାନଙ୍କ ଗିରଫଦାରୀର ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏଜେନ୍ସିର ମୁଖପାତ୍ର ବ୍ରାଡି ମ୍ୟାକକାରନ୍ଙ୍କ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ପାଇଁ ଯେଉଁ ଗିରଫଦାରୀ ୱାରେଣ୍ଟ ଦିଆଯାଇଥିଲା ତାହା ବର୍ତ୍ତମାନ ଗୁପ୍ତ ରଖାଯାଇଛି। ସେମାନଙ୍କୁ ଆସନ୍ତା ସପ୍ତାହର ପ୍ରାରମ୍ଭରେ ମିଆମିର ଫେଡେରାଲ୍ କୋର୍ଟରେ ହାଜର ହେବେ ବୋଲି କୁହାଯାଉଛି। ୟୁଏସ୍ ମାର୍ଶାଲ୍ସ ସର୍ଭିସର ମୁଖପାତ୍ର ବ୍ରାଡି ମ୍ୟାକକାରନ୍ ଆସୋସିଏଟେଡ୍ ପ୍ରେସକୁ ନିଶ୍ଚିତ କରିଛନ୍ତି ଯେ ଭାଇମାନଙ୍କୁ ହେପାଜତକୁ ନିଆଯାଇଛି। ଯଦିଓ ଆମେରିକାରେ ସେମାନଙ୍କ ଗିରଫଦାରୀର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଉଭୟ ଭାଇଙ୍କୁ ବ୍ରିଟିଶ ପୁଲିସ ଖୋଜୁଛି। ୟୁକେରେ ସେମାନଙ୍କ ବିରୋଧରେ ମହିଳାମାନଙ୍କୁ ପ୍ରତାରଣା, ଶୋଷଣ ଏବଂ ଯୌନ ନିର୍ଯାତନା ଭଳି ଗମ୍ଭୀର ଅଭିଯୋଗ ରହିଛି। ଉଭୟ ଭାଇ ଇଣ୍ଟରନେଟରେ ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା। ସେମାନଙ୍କର ସୋସିଆଲ ମିଡିଆ ଏକ୍ସରେ ୧୦ ନିୟୁତ ଫଲୋଅର୍ସ ଅଛନ୍ତି। କିନ୍ତୁ ଘୃଣା ଭାଷଣ ତଥା ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ପାଇଁ ତାଙ୍କୁ ୟୁଟ୍ୟୁବ,ଟିକଟକ୍ ଏବଂ ଇନଷ୍ଟାଗ୍ରାମ ପ୍ଲାଟଫର୍ମରୁ ନିଷିଦ୍ଧ କରାଯାଇଛି। ଉଭୟ ଭାଇଙ୍କ ପାଖରେ ଆମେରିକା ଏବଂ ୟୁକେର ଦ୍ୱୈତ ନାଗରିକତା ରହିଛି।
ଉଭୟ ଭାଇଙ୍କ ଅଭିଯୋଗକୁ ଅସ୍ୱୀକାର
୨୦୧୦ ରୁ ୨୦୧୭ ମଧ୍ୟରେ ମହିଳାମାନଙ୍କୁ ଦୁଷ୍କର୍ମ ଏବଂ ଚାଲାଣ କରିଥିବା ଅଭିଯୋଗରେ ବ୍ରିଟିଶ ପବ୍ଲିକ ପ୍ରସିକ୍ୟୁଟରମାନେ କହିଛନ୍ତି ଯେ, ସେମାନେ ଦୁଇଭାଇଙ୍କୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛନ୍ତି। ତେବେ ଉଭୟ ଭାଇମାନେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଦୁଇଭାଇ ୨୦୧୬ ମସିହାରେ ରୋମାନିଆ ଚାଲିଯାଇଥିଲେ। ୨୦୨୨ ମସିହାରେ ସେମାନଙ୍କୁ ସେଠାରେ ମହିଳାଙ୍କୁ ଯୌନ ଶୋଷଣ ପାଇଁ ପ୍ରଲୋଭିତ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ସେମାନେ ସେହି ଅଭିଯୋଗଗୁଡ଼ିକୁ ମଧ୍ୟ ଅସ୍ୱୀକାର କରିଥିଲେ ଏବଂ ଆଇନଗତ ତଥା ପ୍ରକ୍ରିୟାଗତ ସମସ୍ୟା ଯୋଗୁଁ ରୋମାନିଆରେ ମାମଲା ଆଗକୁ ବଢ଼ିପାରି ନଥିଲା। ଗତ ବର୍ଷ, ସେମାନଙ୍କୁ ରୋମାନିଆ ଛାଡିବାକୁ ଅନୁମତି ଦିଆଯାଇଥିଲା। ସେମାନେ ଏକ ଘରୋଇ ଜେଟ୍ ଯୋଗେ ଫ୍ଲୋରିଡା ଯାତ୍ରା କରିଥିଲେ।
Rath Yatra: ମ୍ୟୁନିଖରେ ମହାସମାରୋହରେ ପାଳିତ ହେଲା ଶ୍ରୀଜଗନ୍ନାଥ ରଥଯାତ୍ରା
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେରିକୀୟ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହି ମାମଲା ବିଷୟରେ ଅଧିକ ସୂଚନା ପ୍ରଦାନ କରିନାହାନ୍ତି। ସେମାନେ ଏହା ମଧ୍ୟ ସ୍ପଷ୍ଟ କରିନାହାନ୍ତି ଯେ ଗିରଫଦାରୀ ବ୍ରିଟେନରେ ଚାଲିଥିବା ମାମଲା କିମ୍ବା ଆମେରିକାରେ ଏକ ନୂତନ ମାମଲା ଯୋଗୁ କରାଯାଇଛି।

2 weeks ago
9


