ARTICLE AD BOX
କର୍ଲାମୁଣ୍ଡା: ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ସେତେବେଳେ କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତ ଧଅରାଖମନ୍ ଗାଁର ମହିଳା ଚାଷୀ ରେଖା ପୁଟେଲ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଦେଶୀ ମଞ୍ଜି ସଂରକ୍ଷଣର ଏକ ନୂଆ ଅଧ୍ୟାୟ ରଚନା କରିଛନ୍ତି।
ତାଙ୍କ କାହାଣୀ ନୂଆ ଆଶାର ବାର୍ତ୍ତା
ତାଙ୍କ କାହାଣୀ କେବଳ ଜଣେ ଚାଷୀଙ୍କ ସଫଳତାର କାହାଣୀ ନୁହେଁ, ବରଂ ସୁସ୍ଥ ଖାଦ୍ୟ, ସୁସ୍ଥ ମାଟି ଓ ଖାଦ୍ୟ ସ୍ୱାଧୀନତା ପ୍ରତି ଏକ ନୂଆ ଆଶାର ବାର୍ତ୍ତା।“ମାତ୍ର ଛଅ ମାସରେ ୧୮ କିଲୋଗ୍ରାମ ନଳିତା ଶାଗର(ଚେଁ ଶାଗ) ଭାଜି ଶାଗ ମଞ୍ଜି ସଂଗ୍ରହ କରିପାରିଛନ୍ତି। ଆମ ପରିବାର ରେ ଏହି ଶାଗ ଖାଇବା ସହ ଗାଁ ନିକଟରେ ଥିବା ବଜାରରେ ବିକ୍ରି ମଧ୍ୟ କରିଛି, ମଞ୍ଜି ସଂରକ୍ଷଣ କଠିନ ନୁହେଁ, ଏହା ଆତ୍ମବିଶ୍ୱାସର ବିଷୟ,” ବୋଲି ହସି ହସି କହନ୍ତି ରେଖା। ପ୍ରାୟ ପନ୍ଦର ବର୍ଷ ପୂର୍ବେ ସେ ମଧ୍ୟ ଅନ୍ୟମାନଙ୍କ ପରି ବଜାରରୁ ହାଇବ୍ରିଡ୍ ମଞ୍ଜି କିଣି ଚାଷ କରୁଥିଲେ। ଧୀରେ ଧୀରେ ସେ ଅନୁଭବ କଲେ ଯେ ଏହି ପଦ୍ଧତି ରାସାୟନିକ ସାର ଓ କୀଟନାଶକ ଉପରେ ନିର୍ଭରଶୀଳତା ବଢ଼ାଉଛି। ଖାଦ୍ୟର ସ୍ୱାଦ ବଦଳିଯାଉଛି, ମାଟିର ଉର୍ବରତା କମୁଛି ଓ ଚାଷ ଖର୍ଚ୍ଚ ବଢ଼ୁଛି।
ତାଙ୍କ ଘର ଏକ ଛୋଟ ବିହନ ଭଣ୍ଡାର
ତେବେ ଶହେ ବିକ ଳ୍ପଜୀବିକା ଫାଉଣ୍ଡେସନ ଓ ଧଅରାଖମନ୍ ଗାଁ ଗ୍ରାମ ଉନ୍ନୟନ କମିଟିର ମିଳିତ ପ୍ରୟାସରେ ଆରମ୍ଭ ହୋଇଥିବା “ଭଲ ଖାଇବା ଓ ଭଲ ଖୁଆଇବା” ଅଭିଯାନ ତାଙ୍କ ଚିନ୍ତାଧାରାକୁ ବଦଳାଇଦେଲା। ପ୍ରଶିକ୍ଷଣ, ଅନୁଭୂତି ବିନିମୟ ଓ ବିହନ ବନ୍ଧୁମାନଙ୍କ ସହଯୋଗରେ ସେ ପୁଣି ଦେଶୀ ମଞ୍ଜି ସଂରକ୍ଷଣ ଆରମ୍ଭ କଲେ। ଆଜି ତାଙ୍କ ଘର ଏକ ଛୋଟ ବିହନ ଭଣ୍ଡାରରେ ପରିଣତ ହୋଇଛି।
Bomb Threat: ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ
ରେଖାଙ୍କ ବିଶ୍ୱାସ, ଦେଶୀ ମଞ୍ଜି କେବଳ ଭବିଷ୍ୟତର ଫସଲକୁ ସୁରକ୍ଷିତ କରେ ନାହିଁ, ଏହା ଲୋକଙ୍କ ସ୍ୱାସ୍ଥ୍ୟ, ମାଟିର ଜୀବନ୍ତତା ଓ ଜୈବ ବିବିଧତାକୁ ମଧ୍ୟ ସୁରକ୍ଷା ଦେଇଥାଏ। ତାଙ୍କ ପାଇଁ ମଞ୍ଜି କେବଳ ଚାଷର ଉପକରଣ ନୁହେଁ, ଏହା ଆଗାମୀ ପିଢ଼ି ପାଇଁ ଏକ ଅମୂଲ୍ୟ ସମ୍ପଦ।ଆଜି ରେଖା ପୁଟେଲଙ୍କ ଏହି ପ୍ରୟାସ ଆଖପାଖ ଅଞ୍ଚଳର ଅନେକ ମହିଳା ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି। ଦେଶୀ ମଞ୍ଜି ସଂରକ୍ଷଣ ମାଧ୍ୟମରେ ସେ ପ୍ରମାଣ କରିଛନ୍ତି ଯେ ପ୍ରକୃତି ସହ ତାଳମେଳ ରଖି କୃଷି କଲେ ଖାଦ୍ୟ ସୁରକ୍ଷା, ପୌଷ୍ଟିକତା ଓ ପରିବେଶ ସଂରକ୍ଷଣ—ତିନୋଟି ଲକ୍ଷ୍ୟ ଏକାସାଙ୍ଗରେ ପୂରଣ ହୋଇପାରିବ। ରେଖାଙ୍କ ଏହି ଯାତ୍ରା ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି—“ଦେଶୀ ମଞ୍ଜି ବଞ୍ଚିଲେ ମାଟି ବଞ୍ଚିବ, ମାଟି ବଞ୍ଚିଲେ ଖାଦ୍ୟ ବଞ୍ଚିବ, ଆଉ ଖାଦ୍ୟ ବଞ୍ଚିଲେ ଆମର ଭବିଷ୍ୟତ ସୁରକ୍ଷିତ ରହିବ।”

3 weeks ago
10


