Agricultural revolution: କୃଷି ବିପ୍ଳବର ସୂତ୍ରଧର ସାଜିବେ ମହିଳା!

17 hours ago 1
ARTICLE AD BOX

ରୁଦ୍ରରଞ୍ଜନ ଶେଜପଡ଼ା

ଏବେ ଓଡ଼ିଶାରେ ବନ୍ୟା ପରିସ୍ଥିତି। ରାଜ୍ୟର ୨୦ଟି ଜିଲ୍ଲାକୁ କବଳିତ କରିଛି ବଢ଼ିପାଣି। ଲକ୍ଷାଧିକ ଚାଷୀଙ୍କ ଚାଷ ପ୍ରଭାବିତ ହୋଇଛି। ସେମାନଙ୍କ ମଧ୍ୟରେ ଅନେକ ମହିଳା ଚାଷୀ ମଧ୍ୟ ଅଛନ୍ତି, ଯେଉଁମାନେ କ୍ଷେତ ଉଜୁଡ଼ିଯିବା ଆଶଙ୍କାରେ ଭାଙ୍ଗିପଡ଼ିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ତଳନଗର ପଞ୍ଚାୟତ ବ୍ରାହ୍ମଣସବିରା ଗ୍ରାମର ମହିଳା ଚାଷୀ ସାବିତ୍ରୀ ପୃଷ୍ଟି ଏବଂ ନୀଳଗିରି ବ୍ଲକ୍‌ ଧରମପୁର ପଞ୍ଚାୟତ ବାଉଁଶପାଳ ଗ୍ରାମର ସୁଶିଳାମଣି ବେହେରାଙ୍କ ଅବସ୍ଥା ଏବେ ସେମିତି। ନିଜର ଦୁଃସ୍ଥିତି ପାଇଁ ସେମାନେ ପ୍ରକୃତିକୁ ଯେତିକି ଦାୟୀ କରି ନାହାନ୍ତି, ବ୍ୟବସ୍ଥାକୁ ନେଇ ତା’ଠୁ ଅଧିକ ପ୍ରଶ୍ନ ଉଠାଇଛନ୍ତି। ତେବେ ସାବିତ୍ରୀଙ୍କ ଦୁଇଟି ପ୍ରଶ୍ନ ସମସ୍ତଙ୍କ ମନକୁ ବେଶ୍‌ ଆନ୍ଦୋଳିତ କରିବ ନିଶ୍ଚୟ। ତାହା ହେଲା, ‘ଜଣେ ପୁରୁଷ ଚାଷୀଙ୍କ ପରି ଆମେ ମହିଳା ଚାଷୀମାନେ କ୍ଷେତରେ ଝାଳ ବୁହାଉଛୁ। ହେଲେ ସାମାଜିକସ୍ତରରେ ଓ ସରକାରୀସ୍ତରରେ ଅବହେଳାର ଶିକାର କାହିଁକି ହେଉଛୁ? ସ୍ବତନ୍ତ୍ର ସରକାରୀ କ୍ଷତିପୂରଣ ପାଇବା ପାଇଁ ମହିଳା ଚାଷୀମାନେ କ’ଣ ହକ୍‌ଦାର ନୁହଁନ୍ତି?’

Editorial: ସତ୍ୟର ଧ୍ବଜା

ତଥ୍ୟ କହେ; ଆର୍ଥିକ ଦୃଷ୍ଟିକୋଣରୁ ଭାରତରେ ସକ୍ରିୟ ଥିବା ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୭୫ରୁ ୮୦ ପ୍ରତିଶତ ମହିଳା କୃଷି ଏବଂ ଏହା ସହ ଜଡ଼ିତ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦେଶର ମୋଟ ଚାଷୀଙ୍କ ମଧ୍ୟରୁ ପ୍ରାୟ ୩୩ ପ୍ରତିଶତ ଚାଷୀ ହେଉଛନ୍ତି ମହିଳା। ସେହିପରି ମୋଟ କୃଷି ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୪୭ରୁ ୪୮ ପ୍ରତିଶତ ମହିଳା ଖାଦ୍ୟ ଉତ୍ପାଦନରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ମୋଟାମୋଟି କହିବାକୁ ଗଲେ‌‌; ବିହନ ବୁଣିବା, ଚାରାରୋପଣ କରିବା, ଫସଲର ଯତ୍ନନେବା, ଫସଲ ଅମଳ କରିବା, ବିହନର ସଂରକ୍ଷଣ କରିବା, ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ଓ ପଶୁପାଳନ ସହ କୃଷିର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଗ୍ରଣୀ ଭୂମିକାକୁ ଅସ୍ବୀକାର କରିହେବନି। ହେଲେ, ବିଡ଼ମ୍ବନାର ବିଷୟ; କୃଷିକ୍ଷେତ୍ରରେ ଏତେ ବଡ଼ ଅବଦାନ ସତ୍ତ୍ୱେ ଦେଶର ମୋଟ ଜମିର ମାଲିକାନାରେ ମହିଳାଙ୍କ ଅଂଶ ମାତ୍ର ୧୩ରୁ ୧୪ ପ୍ରତିଶତ। ଫଳରେ ସେମାନେ ବ୍ୟାଙ୍କ ଋଣ, ସରକାରୀ ଯୋଜନା ଓ କୃଷି ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣରେ ପଛରେ ରହିଯାଆନ୍ତି। ଏମିତି କି ଜମିର ମାଲିକାନା ନଥିବାରୁ ପୂର୍ଣ୍ଣକାଳୀନ ଚାଷ କରୁଥିବା ଅନେକେ ସରକାରୀ ଭାବେ ‘ଚାଷୀ’ର ସ୍ୱୀକୃତି ପାଇପାରୁ ନାହାନ୍ତି।

ଉଲ୍ଲେଖ ଥାଉ କି ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ମହିଳା ଚାଷୀମାନେ ଅନେକ ପୁରୁଷ ଚାଷୀଙ୍କ ତୁଳନାରେ ଅଧିକ ଫସଲ ଉତ୍ପାଦନ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କାଳାବତୀ ସାବନ୍ଦକର, ଲକ୍ଷ୍ମୀବାଈ ମୁଟକୁଲେ ଓ ଆଶାବାଈ ପାଟିଲଙ୍କ ପରି ମହିଳା ଚାଷୀମାନେ ଜୈବିକ ଚାଷ, ହଳଦୀ ଚାଷ, କୃଷିଜାତ ଉତ୍ପାଦର ମୂଲ୍ୟ ସଂଯୋଜନ ଏବଂ ସାମୂହିକ ବିପଣନ ମାଧ୍ୟମରେ ବିଶେଷ ସଫଳତା ହାସଲ କରିଛନ୍ତି। ସେମାନଙ୍କର ଉଦ୍ୟମ କେବଳ ଆୟ ବୃଦ୍ଧି କରିନାହିଁ, ବରଂ ନିରନ୍ତର ଓ ଲାଭଜନକ କୃଷିର ବିକାଶରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ପ୍ରତିପାଦିତ କରିଛି। ସେହିପରି ଆମେରିକାର ମିନେସୋଟାରେ ବସବାସ କରୁଥିବା ୧୩ ବର୍ଷୀୟା ଭାରତୀୟ-ଆମେରିକୀୟ ଛାତ୍ରୀ ଅରିକା କୁଣ୍ଡୁ ବାଦାମ ଚୋପା ପରି ପରିତ୍ୟକ୍ତ କୃଷି ବର୍ଜ୍ୟ ବ୍ୟବହାର କରି ତାଜା ଫଳ ଓ ପନିପରିବାରୁ କୀଟନାଶକର ଅବଶିଷ୍ଟାଂଶ ଦୂର କରିବାର ଏକ ଅଭିନବ ପଦ୍ଧତି ବିକଶିତ କରିଛନ୍ତି। ‘ଲିଗ୍ନେକ୍ସ-ଏ’ ନାମକ ତାଙ୍କର ପ୍ରକଳ୍ପରେ କୃଷି ବର୍ଜ୍ୟକୁ ପ୍ରାକୃତିକ ଜୈବ-ଶୋଷକ (ବାୟୋସର୍ବେଣ୍ଟ) ଭାବେ ବ୍ୟବହାର କରି ଖାଦ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି। ଏହି ଉଦ୍ଭାବନ ପାଇଁ ଅରିକା ‘୨୦୨୬-୩ଏମ୍‌ ୟଙ୍ଗ ସାଇଣ୍ଟିଷ୍ଟ ଚ୍ୟାଲେଞ୍ଜ’ର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

RBI: ମୁଦ୍ରା ନୀତି କମିଟିର ବୈଠକ ଆଜିଠୁ

ବା‌ଲେଶ୍ବରର ସାବିତ୍ରୀ ଓ ସୁଶିଳାମଣି, ମହାରାଷ୍ଟ୍ର ହିଙ୍ଗୋଲି ଜିଲ୍ଲାର କାଳାବତୀ, ଲକ୍ଷ୍ମୀବାଈ ଓ ଆଶାବାଈ ଏବଂ ଆମେରିକାର କୁନି ଝିଅ ଅରିକାଙ୍କ ଉଦ୍ୟମ ଏ କଥାକୁ ପ୍ରମାଣିତ କରୁଛି ‌ଯେ କୃଷି ଉତ୍ପାଦନରେ ମହିଳାଙ୍କ ଭୂମିକା ଥିଲା, ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ। ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଗବେଷକ ତରୁଣକାନ୍ତି ଓଝା କହନ୍ତି, ମହିଳା ଚାଷୀଙ୍କ ବିକାଶ ପାଇଁ ସରକାର ସ୍ବତନ୍ତ୍ର ଜାତୀୟ କୃଷିନୀତି ଆଣିବା ଦରକାର। ଚଳିତ ବର୍ଷ ବନ୍ୟାରେ ଯେଉଁ ମହିଳା ଚାଷୀମାନେ କ୍ଷତି ସହିଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ସହାୟତା ବ୍ୟବସ୍ଥା ପୂର୍ବକ ସରକାର ଏପରି ଏକ ଯୋଜନାର ଶୁଭାରମ୍ଭ କରିପାରିଲେ ଭାରତରେ ଯେ ଏକ ନୂଆ କୃଷି ବିପ୍ଳବର ସୂତ୍ରପାତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.