ARTICLE AD BOX
କାଳିଆପାଣି (ରବି ନାରାୟଣ କର): ଏକ ସଡ଼କ ଦୁର୍ଘଟଣାରେ ପରିବାରର ସ୍ବପ୍ନ ଚୁରମାର୍ ହୋଇଯାଇଛି। ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ମେଡିକାଲ ଓ ଘରେ ସାଢ଼େ ୩ ମାସ ଚିକିତ୍ସାଧୀନ ଅବସ୍ଥାରେ ଥାଇ ଜଣେ ମେଧାବୀ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ମୃତକ ଯାଜପୁରଜିଲ୍ଲା କାଳିଆପାଣି ଥାନା କାଦୁଅବନ୍ଦୀ ଗାଁର ଆଶାକର୍ମୀ ସଞ୍ଜୁଲତା ଓ କ୍ଷୁଦ୍ରଚାଷୀ ଚକ୍ରଧର ମହାନ୍ତଙ୍କ ଏକମାତ୍ର ପୁଅ ଆଲୋକ ରଞ୍ଜନ ଓରଫ୍ ହାପି(୩୦)।
ପରିବାରର ସ୍ବପ୍ନ ଚୁରମାର୍ ହୋଇଯାଇଛି। ଶୈଶବରୁ ଶାନ୍ତ ସରଳ ସ୍ବଭାବ ଓ ମେଧାବୀ ଛାତ୍ର ଭାବେ ସମସ୍ତଙ୍କ ପ୍ରିୟ ହାପିଙ୍କ ଅକାଳ ମୃତ୍ୟୁରେ ସମଗ୍ର ଗାଁ ସହ ଆଞ୍ଚଳିକ ଶୋକ ପ୍ରକାଶ ପାଇଛି। ଗାଁ ପାଖ ଗରାମିଆଁ ଆଞ୍ଚଳିକ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ ପରେ ସେ କଟକ ରେଭେନ୍ସା କଲେଜରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲେ। ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରୁ ବିଟେକ୍ ଡିଗ୍ରି ହାସଲ କରିଥିଲେ। ଗାଁରେ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ ପଢ଼ାଉଥିଲେ। କେନ୍ଦୁଝର ଜିଲ୍ଲାର ଜଣେ ସ୍ନାତକ ବିଇଡି ଡିଗ୍ରି ଧାରୀ ଯୁବତୀଙ୍କ ସହ ତାଙ୍କ ନିର୍ବନ୍ଧ ଅନୁଷ୍ଠିତ ହେବାକୁ ଥିଲା। ଭାବୀ ବନ୍ଧୁଘର ତାଙ୍କ ଆଶୁ ଆରୋଗ୍ୟ ଅପେକ୍ଷାରେ ଥିଲେ।
Jajpur: ୧୪ ମେଡିକାଲ କଲେଜ ମଧ୍ୟରେ ପଛରେ ଯାଜପୁର: ୫୦ ସିଟ୍ରେ ସୀମିତ ପାଠପଢ଼ା
କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ଘରୋଇ କମ୍ପାନିରେ ଯାନ୍ତ୍ରିକ ଯନ୍ତ୍ରୀ ଭାବେ କାର୍ଯ୍ୟରତ ହାପି ନିଜ ନୂଆ ବାଇକ୍ରେ ଗତ ଏପ୍ରିଲ ମାସ ୮ ତାରିଖ ଘର ଫେରୁଥିଲେ। ଘର ଠାରୁ ୧ କିଲୋମିଟର ଦୂର ରେଙ୍ଗାଲି କେନାଲ ସଡ଼କରେ ଏକ ସାଇକଲ୍ ଆରୋହୀ ଭାରସାମ୍ୟ ହରାଇ ତାଙ୍କ ଆଡ଼କୁ ମାଡ଼ି ଆସିଥିଲେ। ଘଟଣାସ୍ଥଳରେ ହାପି ବାଇକ୍ରୁ ଛିଟିକି ପଡ଼ିଥିଲେ। ଗାଁର ଏକ ଭଡ଼ାଗାଡ଼ିରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ମୁଣ୍ଡ ପଛରେ ଗୁରୁତର ଆଘାତ ଜଣା ପଡ଼ିଥିଲା। ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡ ସହାୟତା ଅତିରିକ୍ତ ତାଙ୍କ ଚିକିତ୍ସା ପାଇଁ ମାଆବାପା ଧାନଜମି ବନ୍ଧା ପକାଇ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ରଜପର୍ବ ପରେ ସାମାନ୍ୟ ସୁସ୍ଥହୋଇ ହାପି ଘରକୁ ଆସିଥିଲେ। କିଛିଦିନ ପରେ ପୁଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଗଲା। ତାଙ୍କୁ ପୁଣି ଭୁବନେଶ୍ବର ନିଆଯାଇଥିଲା। ଆଜି ବଡ଼ି ଭୋରୁ ତାଙ୍କ ମୃତ୍ୟୁ ଖବର ଜଣାପଡ଼ିଥିଲା। ପାଠପଢ଼ା ଓ ଚିକିତ୍ସା ପାଇଁ ଚକ୍ରଧରଙ୍କ ୨୫ ବର୍ଷର ସବୁ ସମ୍ବଳ ପୁଅର ଜୁଇରେ ପୋଡ଼ିଯାଇଥିବା କୁହାଯାଇଛି।

1 week ago
5


