ARTICLE AD BOX
ଭୁବନେଶ୍ବର (ଶିବ ଶଙ୍କର ଓଝା): ଭାରତୀୟ ସିନେମାର ସବୁଠାରୁ ପ୍ରତିଷ୍ଠିତ ସମ୍ମାନ ‘୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’କୁ ନେଇ ଅପେକ୍ଷା ଶେଷ ହୋଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ କଳାକାରଙ୍କୁ ସମ୍ମାନିତ କରିବା ପାଇଁ ଆଜି ବିଜୟୀମାନଙ୍କର ନାମ ଘୋଷଣା କରାଯାଇଛି। ଏହି କ୍ରମରେ ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ନୃତ୍ୟ ନିର୍ଦ୍ଦେଶନା ସହିତ ନିର୍ଦ୍ଦେଶନା ଭାର ସମ୍ଭାଳି ଥିଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରପାପ୍ତ ଅମର୍ତ୍ତ ଭଟ୍ଟାଚାର୍ଯ୍ୟ। କିସଳୟ ରୟ ଏହାର ସଂଗୀତ ନିର୍ଦ୍ଦେଶକ। ଏଥିରେ କଣ୍ଠଶିଳ୍ପୀ ଗୌରବ ଆନନ୍ଦ ଏବଂ ନବ୍ୟା କଣ୍ଠଦାନ କରିଥିଲେ।
ବାପ ଏବଂ ପୁଅଙ୍କ ସଂପର୍କ ଉପରେ ଆଧାରିତ ତଥା ଗ୍ରାମୀଣ ଜୀବନକୁ ନେଇ ଗତିଶୀଳ ଏହି ସିନେମାରେ ଚୌଧୁରୀ ବିକାଶ ଦାସ, ଜୟପ୍ରକାଶ ଦାଶ, ଝିଲିକ ଭଟ୍ଟାଚାର୍ଯ୍ୟ, ସ୍ବସ୍ତିକ ଚୌଧୁରୀ, ଦୀପନ୍ବିତ ଦାସ ମହାପାତ୍ର, ପ୍ରସେନଜିତ, ସ୍ମୁତି ମହଲା, ହର ରଥ ଏବଂ ସୁଶାନ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭୀନୟ କରିଥିଲେ।
ଗତବର୍ଷ ସେପ୍ଟେମ୍ବର ୧୨ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ଲୋକପ୍ରିୟ ନାୟକ ବାବୁସାନ ମହାନ୍ତିଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିଥିଲା। ‘ଲହରୀ’କୁ ଜାତୀୟ ପୁରସ୍କାର ମିଳିଥିବା ଖବର ପାଇ ଓଲିଉଡରେ ଖୁସିର ଲହରୀ ଖେଳି ଯାଇଛି।

2 weeks ago
9


