47 panchayat: ବିଶୁଦ୍ଧ ପାଣିରୁ ବଞ୍ଚିତ ୪୭ ପଞ୍ଚାୟତବାସୀ

1 month ago 12
ARTICLE AD BOX

ତ୍ରିଲୋଚନ ନାଏକ 

ବଅଁରପାଳ : ଲୋକଙ୍କୁ ଘରେ ଘ‌ରେ ପାଇପ୍‌ ଯୋଗେ ଜଳ ଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ବଅଁରପାଳ ବ୍ଲକ୍‌ରେ ୩୫୭ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପର କାମ ଶେଷ ହୋଇନଥିବାରୁ ଲୋକେ ପାଣି ପାଇଁ ସମସ୍ୟା ଭୋଗୁଛନ୍ତି। ତିନି ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ପ୍ରକଳ୍ପର ଅଗ୍ରଗତି ହେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ବଅଁରପାଳ ଅଞ୍ଚଳବାସୀ ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି। ବଅଁରପାଳ ବ୍ଲକ୍‌ର ୧୩ଟି ଓ ଅନୁଗୋଳ ବ୍ଲକ୍‌ର ୩୪ଟି ପଞ୍ଚାୟତକୁ ମିଶାଇ ମୋଟ୍‌ ୪୭ଟି ପଞ୍ଚାୟତର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୨୦୨୩ ମାର୍ଚ୍ଚ ୧୫ ତାରିଖରେ ବଅଁରପାଳ ବ୍ଲକ୍‌ର ବଉଳିଗଡ଼ ପଞ୍ଚାୟତରେ ମେଗା ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ପ୍ରାୟ ୩୫୭ କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟାଦେଶ ପାଇଥିବା ଠିକାସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିବାରେ ବିଫଳ ହୋଇଛି। ବିଭାଗୀୟ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧୀନରେ କାମ ଚାଲୁଥିବା ସତ୍ତ୍ୱେ ତଦାରଖ କରୁଥିବା ଅଧିକାରୀ ଧ୍ୟାନ ନଦେବାରୁ କାର୍ଯ୍ୟ ଅଧାରେ ଅଟକିଛି। ଏପର୍ଯ୍ୟନ୍ତ ଅଧାରୁ ଅଧିକ ଗାଁରେ ପାଇପ୍‌ ସଂଯୋଗ ହୋଇନାହିଁ। ପ୍ରକଳ୍ପରେ ବ୍ୟବହୃତ ପାଇପ୍ ଓ ଅନ୍ୟାନ୍ୟ ବୈଷୟିକ ସାମଗ୍ରୀର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ନିୟମ ଅନୁଯାୟୀ ଅତିକମ୍‌ରେ ଏକ ମିଟର ଗଭୀରରେ ପାଇପ୍ ପୋତାଯିବା ପରିବର୍ତ୍ତେ ଅନେକ ସ୍ଥାନରେ ଏହାଠାରୁ କମ୍ ଗଭୀରରେ ପାଇପ୍ ପୋତାଯାଉଛି। ଯଦ୍ବାରା ଭାରୀଯାନ ଚଳାଚଳ ସମୟରେ ପାଇପ୍ ଫାଟି ଯାଉଥିବା ଜଣାପଡ଼ିଛି। 

Kolathia double murder: କୋଳଥିଆ ଡବଲ୍ ମର୍ଡର, ସିନ୍‌ ରିକ୍ରିଏସନ୍‌ କଲେ ଦୁଇ ନାବାଳକ


ଶିଳ୍ପାଞ୍ଚଳ ହୋଇଥିବାରୁ ବଅଁରପାଳ ଅଞ୍ଚଳରେ ବାୟୁ ଓ ଭୂତଳ ଜଳ ଉଭୟ ପ୍ରଦୂଷିତ। ଅଧିକାଂଶ ସ୍ଥାନରେ ନଳକୂଅର ପାଣି ପିଇବା ଅନୁପଯୋଗୀ। ଏପରି ପରିସ୍ଥିତିରେ ବ୍ରାହ୍ମଣୀ ନଦୀରୁ ପାଣି ବିଶୋଧନ କରି ଯୋଗାଇବା ପାଇଁ ଗ୍ରହଣ କରାଯାଇଥିବା ଏହି ମେଗା ପ୍ରକଳ୍ପ ହିଁ ଅଞ୍ଚଳବାସୀଙ୍କ ଭରସା। ଏହାର ମନ୍ଥର କାର୍ଯ୍ୟ ଲୋକଙ୍କୁ ଅସନ୍ତୋଷ କରିଛି। ଅନ୍ୟପଟେ, ଯନ୍ତ୍ରୀ ଦେବସ୍ମିତା ନାୟକ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଶୀଘ୍ର ଶେଷ କରି ଲୋକଙ୍କ ପାଖ‌ରେ ବିଶୁଦ୍ଧ ପାଣି ପହଞ୍ଚାଇବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଠିକାସଂସ୍ଥାର କାର୍ଯ୍ୟ ଉପ‌ରେ ତଦନ୍ତ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଲୋକେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ହଜାର ହଜାର ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.