100 potholes on 9 km of road: ୯ କିମି ରାସ୍ତାରେ ୧୦୦ରୁ ଅଧିକ ଗର୍ତ୍ତ: କାଦୁଅରେ ଶୋଇ ପ୍ରତିବାଦ, ୨ ଘଣ୍ଟା ଗାଡ଼ି ଚଳାଚଳ ଠପ୍

1 week ago 4
ARTICLE AD BOX

ରାଉରକେଲା/କୁଆରମୁଣ୍ଡା: ବିପର୍ଯ୍ୟସ୍ତ ରାସ୍ତା ମରାମତି ପାଇଁ ଥରେ ନୁହେଁ, ଏକାଧିକବାର ଆନ୍ଦୋଳନ ସହ ରାସ୍ତା ଅବରୋଧ କଲେ। ଜିଲ୍ଲାପାଳଙ୍କ ଜନଶୁଣାଣିରେ ଲିଖିତ ଅଭିଯୋଗ ସାଙ୍ଗକୁ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ଗୁହାରି କଲେ। ଖାଲି ସେତିକି ନୁହେଁ, ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ ମଧ୍ୟ କଲେ। ହେଲେ ମାସ ମାସ ବିତିଯିବା ସତ୍ତ୍ବେ ରାସ୍ତା ସମସ୍ୟାର ସମାଧାନ ହୋଇ ପାରିଲାନି। ଏଭଳି ସ୍ଥିତିରେ ବିଦ୍ୟାଳୟ ଯାଉଥିବା କୁନି ଝିଅଟିଏ ଗର୍ତ୍ତରେ ପଡ଼ି ଆହତ ହେବା ପରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତିନ୍ତୁସ୍‌ କେରକେଟା। ଆଜି ସକାଳ ପ୍ରାୟ ୧୦ଟାରେ କୁଆରମୁଣ୍ଡା ସରଣ୍ଡାମାଲ ଛକରୁ ପଦ୍ମପୁର ଦେଇ ଯାଇଥିବା କାଦୁଅ ରାସ୍ତାରେ ‌ଶୋଇ ରହି ପ୍ରଶାସନିକ ନିଷ୍କ୍ରିୟତାର ବିରୋଧ କରିଥିଲେ। 

ସ୍ଥାନୀୟ ଅଞ୍ଚଳବାସୀ ସେଠାରେ ଏକାଠି ହୋଇ ତିନ୍ତୁସ୍‌ଙ୍କୁ ସମର୍ଥନ ଜଣାଇଥିଲେ। ପ୍ରାୟ ଦୁଇଘଣ୍ଟା କାଦୁଅ ରାସ୍ତାରେ ଶୋଇ ରହିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ଥାନା ଅଧିକାରୀ। ତିନ୍ତୁସ୍‌ଙ୍କୁ ରାସ୍ତାରୁ ହଟିଯିବାକୁ ଅନୁରୋଧ କରିଥିଲେ। ଯେ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ରାସ୍ତା ମରାମତି ପାଇଁ ଲିଖିତ ପ୍ରତିଶ୍ରୁତି ନ ମିଳିଛି, ସେ ପର୍ଯ୍ୟନ୍ତ ଏମିତି ରାସ୍ତାରେ ଶୋଇ ରହିବେ ବୋଲି ଚେତାବନୀ ଦେଇଥିଲେ। ସରକାରୀ ଛୁଟି ଥିବାରୁ ପୁଲିସ ବିଭାଗୀୟ ଅଧିକାରୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଆସନ୍ତା ମଙ୍ଗଳବାର ସୁଦ୍ଧା ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ତିନ୍ତୁସ୍‌ ରାସ୍ତାରୁ ହଟିଥିଲେ। ତେବେ ମଙ୍ଗଳବାର ମରାମତି କାମ ଆରମ୍ଭ ନ ହେଲେ, ବୁଧବାର ପୁଣି ରାସ୍ତାରେ ଶୋଇ ରହିବେ ବୋଲି କହିଛନ୍ତି ତିନ୍ତୁସ୍‌। 

ସୂଚନାଯୋଗ୍ୟ, କୁଆରମୁଣ୍ଡାରୁ ସରଣ୍ଡାମାଲ ପଦ୍ମପୁର ଦେଇ ଉସ୍ରା ପର୍ଯ୍ୟନ୍ତ ପ୍ରାୟ ୯ କିମି ରାସ୍ତା ଦେଢ଼ବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ସରଣ୍ଡାମାଲ ଛକରୁ ପଦ୍ମପୁର ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ରାସ୍ତାରେ ୧୦୦ରୁ ଅଧିକ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ନିକଟସ୍ଥ କାରଖାନାକୁ ଦୈନିକ ଭାରୀଯାନ ଯାତାୟାତ କରୁଥିବାରୁ ରାସ୍ତା ଫାଟି ଆଁ କରିଛି। କଂକ୍ରିଟ୍‌ ରାସ୍ତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଅନେକଥର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ରାସ୍ତା‌ ଦେଇ ସ୍କୁଲ, କଲେଜ ଏବଂ ନିକଟସ୍ଥ ମନ୍ଦିରକୁ ଦୈନିକ ଶହ ଶହ ଲୋକ ଯାତାୟାତ କରୁଥିଲେ ହେଁ ମରାମତି କରିବାକୁ କେହି ଶୁଣୁ ନଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.